ଶ୍ରୀଜିଉଙ୍କୁ ଲାଗିହେଲା ଅଧରପଣା

ଅଧରପଣା ହାଣ୍ଡି ଭାଙ୍ଗି ଚଣ୍ଡିଚାମୁଣ୍ଡାଙ୍କୁ ହେଲା ଉତ୍ସର୍ଗ

ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ ଓ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ଏହି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ସମ୍ପନ୍ନ ହୋଇଛି। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଅଧର ଉଚ୍ଚର ୯ଟି ହାଣ୍ଡିରେ ପଣା ଲାଗି ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ଅନ୍ୟପଟେ ଗୁରୁବାର ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ଶେଷ ହୋଇଛି। ଏହା ପୂର୍ବରୁ ଚଣ୍ଡିଚାମୁଣ୍ଡାଙ୍କୁ ତୃପ୍ତି ଉଦ୍ଦେଶ୍ୟରେ ପରମ୍ପରା ଆଧାରରେ ଗୁରୁବାର ସିଂହଦ୍ୱାର ଆଗରେ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା। ନୀତି ନିର୍ଘଣ୍ଟ ମୁତାବକ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହୋଇଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧରହାଣ୍ଡିରେ ପଣା ଲାଗି କରାଯାଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପିତଳ ଗରାରେ ପାଣି ଆଣି ରଥ ଉପରେ ଥିବା ପିତଳ ହଣ୍ଡାରେ ରଖିବା ପରେ ମାଟି କୁଡ଼ୁଆରେ ଅଧର ହାଣ୍ଡି ଭରାଯାଇଥିଲା। ଉପରେ ଜାଲି କପଡା ଦିଆଯାଇ ପାଣିକୁ ଛଣା ଯାଇଥିଲା। ପାଣି ଭର୍ତ୍ତି ପରେ ସୁପକାର ସେବକମାନେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ଜଳ ସମେତ ୯ଟି ସାମଗ୍ରୀ ଯଥା କ୍ଷୀର, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା। ପରମ୍ପରା ଅନୁଯାୟୀ, ରାଘବ ଦାସ ମଠ, ବଡ଼ଓଡ଼ିଆ ମଠ ସହ ଶ୍ରୀମନ୍ଦିର ପ୍ରଶାସନ ପଣା ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ଅଧରପଣାକୁ ପୂଜା କରିଥିଲେ। ଶ୍ରୀମନ୍ଦିର ପରମ୍ପରା

ଆଧାରରେ ପୂଜା ନୀତି ବଢ଼ିବା ପରେ ତିନି ରଥ ଉପରେ ପଣା ହାଣ୍ଡିକୁ ରଥର ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଇଥିଲା। ପ୍ରଥମେ ରାତି ସାଢ଼େ ୭ଟାରେ ମା’ ସୁଭଦ୍ରାଙ୍କ ଅଧର ନୀତି ସମ୍ପନ୍ନ ହୋଇଥିଲା। ପରେ ବଡ଼ଠାକୁର ବଳଭଦ୍ରଙ୍କ ସମ୍ମୁଖରେ ତାଳଧ୍ବଜ ରଥ ଉପରେ ଅଧର ହାଣ୍ଡିରେ ପଣା ଲାଗି ପରେ ରାତି ପ୍ରାୟ ୭ଟା ୫୦ରେ ଉପସ୍ଥିତ ସେବକମାନେ ତିନି ହାଣ୍ଡିକୁ ଠେଲି ଭାଙ୍ଗିଥିଲେ। ଶେଷରେ ରାତି ପ୍ରାୟ ୮ଟା ୧୫ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରନୀତି ଶେଷ ହୋଇଥିଲା।

ରାତିରେ ଅଧରପଣା ନୀତି ଶେଷ ପରେ ମହାସ୍ନାନ, ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ନୀତି ସମ୍ପନ୍ନ ହୋଇଥିଲା। ପରେ ରାତ୍ର ପହୁଡ଼ ହୋଇଥିଲା।

ସମ୍ବନ୍ଧିତ ଖବର