ଶ୍ରୀକ୍ଷେତ୍ରରେ ପାଳିତ ହେଲା ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା
ମହୋଦଧି ଆଳତି ସହ ସାଧୁସନ୍ଥଙ୍କୁ ସମ୍ବର୍ଦ୍ଧନା

ପୁରୀ : ପବିତ୍ର କେଦାରନାଥଠା‌ରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ଶଙ୍କରାଚାର୍ଯ୍ୟଙ୍କ ନବନିର୍ମିତ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀ ଚାରିଧାମ ଭିତରେ ଅନ୍ୟତମ ‌ହୋଇଥିବାରୁ ଆଜି ପୁରୀଠାରେ ବି ଏହି ଉତ୍ସବ ପାଳିତ ହୋଇଯାଇଛି। କେଦାରନାଥର ଅନାବରଣ ଉତ୍ସବର ସିଧାପ୍ରସାରଣ କରାଯାଇଛି। ପୁରୀଠାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉପଲକ୍ଷେ ମହୋଦଧି ଆଳତି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେବଳ ପୁରୀ ନୁହେଁ, ବଦ୍ରିନାଥ, ଦ୍ବାରକା, ରାମେଶ୍ବରମ୍‌ ସହ ଦେଶର ବିଭିନ୍ନ ଶୈବପୀଠରେ ବି ଏ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଶୁକ୍ରବାର ଭୋର ସାଢ଼େ ୬ଟାରେ ପୁରୀ ସମୁଦ୍ର କୂଳରେ ମହୋଦଧି ଆଳତି ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଯୋଗଦେଇ ଆଳତି ସମର୍ପଣ କରିଥିଲେ। ପରେ ଏକ ସାଂସ୍କୃତିକ ରାଲି ପୁରୀ ସମୁଦ୍ର କୂଳରୁ ବାହାରି କେନ୍ଦ୍ରୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ସଦାଶିବ ପରିସରଠାରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଶ୍ରୀକ୍ଷେତ୍ରର ବିଭିନ୍ନ ମଠର ମହନ୍ତ, ସାଧୁସନ୍ଥମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆଦି ଶଙ୍କରଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ପୂଜାର୍ଚ୍ଚନା ସହ ମଠ ମହନ୍ତ, ସାଧୁସନ୍ଥମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଲ୍‌ସିଡି ଜରିଆରେ ଅନାବରଣ ଉତ୍ସବର ସିଧାପ୍ରସାରଣ କରାଯାଇଥିଲା। ଉତ୍ସବ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଦି ଶଙ୍କରଚାର୍ଯ୍ୟ ପୁରୀକୁ ପୀଠର ସ୍ବତନ୍ତ୍ର ମାନ୍ୟତା ଦେଇଛନ୍ତି। ଗୋବର୍ଦ୍ଧନ ମଠକୁ ସେ ସ୍ଥାପନ କରିଛନ୍ତ। ଏକବିଂଶ ଶତାବ୍ଦୀରେ ଭାରତ ଏକ ବୈଷୟିକ ମହାଶକ୍ତିରେ ପରିଣତ ହେବାକୁ ଯାଉଛି। ଆଜିର କାର୍ଯ୍ୟକ୍ରମର ଏହାର ଏକ ବଡ଼ ପ୍ରତିଫଳନ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ କେଦାରନାଥରେ ଆଦି ଶଙ୍କରଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ସମଗ୍ର ଓଡ଼ିଶା ପାଇଁ ଏହା ଗର୍ବର ବିଷୟ। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ବିଜେପି ବିଧାୟକ, ନେତା, କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର