କେନ୍ଦୁଝର : ଭାରତୀୟ ନୃତ୍ୟ ପରମ୍ପରାର ପ୍ରାଣ ହିଁ ଏହି ଆଦିବାସୀଙ୍କ ନୃତ୍ୟରେ ରହିଛି ବୋଲି ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ଆୟୋଜିତ ତିନିଦିନିଆ ‘ଆଦିରଙ୍ଗ ମହୋତ୍ସବ’ ଉଦ୍ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ରାଜ୍ୟ ସଂସ୍କୃତି ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିବା ଆଦିରଙ୍ଗ ମହୋତ୍ସବ ଆଜି ସ୍ଥାନୀୟ କାଳୀ ପଡିଆଠାରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶକୁନ୍ତଳା ସିଂ ଲାଗୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅଭିନେତା ସମରେଶ ରାଉତରାୟ, ଜିଲ୍ଲାପାଳ ଏନ୍ ତିରୁମାଲା ନାଏକ ଉପସ୍ଥିତ ଥିଲେ। ସାହିତ୍ୟିକା ସ୍ନେହଲତା ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ଡିର ନିର୍ଦ୍ଦେଶକ ଓ୍ଵାମେନ କେନ୍ଦ୍ରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାରେ ଅଧ୍ୟକ୍ଷତା କରି ଏନ୍ଏସ୍ଡିର ଅଧ୍ୟକ୍ଷ ଅର୍ଜୁନ ଦେଓ ଚରଣ ନିଜ ଅଭିଭାଷଣ ରଖିଥିବା ବେଳେ ଏନଏସ୍ଡିର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।