ଠିକାଦାରଙ୍କ ଠାରୁ ୧.୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ଅତିରିକ୍ତ ତହସିଲଦାର, ଆଜି ଜେଲ୍‌ ଗଲେ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଜେଲ ପଠାଇ ଦିଆଯାଇଛି। ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ‌‌ସେ ଶନିବାର ସନ୍ଧ୍ୟାରେ ଗିରଫ  ହୋଇଥିଲେ। ସମ୍ବଲପୁର ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଅତର୍କିତ ଭାବେ ଚଢ଼ଉ କରି ଗିରଫ କରିଥିଲା। ପରେ ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କ ଅଫିସ, କୁଚିଣ୍ଡାସ୍ଥିତ ସରକାରୀ ବାସଭବନ ସହିତ ରାଉରକେଲାସ୍ଥିତ ଘରେ ମଧ୍ୟ ଚଢ଼ଉ କରିଥିଲେ। ସମ୍ବଲପୁର ଭିଜଲାନ୍‌ସ ଡିଏସ୍‌ପି ସୁଜାତା ସାହୁଙ୍କ ନେତୃତ୍ୱରେ ଏକ ଦଳ କୁଚିଣ୍ଡା ତହସିଲ ଅଫିସରେ ଏହି ଚଢ଼ଉ କରିଥିଲେ। ସାରଦାଙ୍କ କାର୍ଯ୍ୟାଳୟର ଡ୍ରରୁ ୨୧ ହଜାର ୧୪୦ ଟଙ୍କା ଏବଂ ତାଙ୍କ ସରକାରୀ ବାସଭବନରୁ ୨ ଲକ୍ଷ ୮୨ ହଜାର ୪୭୦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ତେବେ, ଅତିରିକ୍ତ ତହସିଲଦାର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି ଏହି ମାମଲାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚାପ ରହିଥିବା ବେଳେ ତାଙ୍କ ଲୋକ ଫସାଇଥିବା ଅଭି‌ଯୋଗ ଆଣିଛନ୍ତି।

ଭିଜିଲାନସ୍‌ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଅଶୋକ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ତାଙ୍କଠାରୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ଟିମ୍‌ ଅତିରିକ୍ତ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଧରିଥିଲେ। ପରେ ତାଙ୍କୁ ସମ୍ବଲପୁର କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ପଟେଲ୍‌ ଜୁନାନୀ ପଣ୍ଡକିମାଲ ସଂରକ୍ଷିତ ଜଙ୍ଗଲରେ ଗଛ କାଟି ପୋଖରୀ ଖୋଳିଛନ୍ତି। ଝାରସୁଗୁଡ଼ାର ବିଭିନ୍ନ କାରଖାନାରୁ ବାହାରୁଥିବା ପାଉଁଶ ଠିକା ନେଇଥିବା ସଂସ୍ଥା ଏଠାରେ ପକାଇବାକୁ ଶ୍ରୀ ପଟେଲଙ୍କ ସହିତ ଯୋଜନା କରିଥିଲେ। ୧୫ ଦିନ ତଳେ ଖୋଳାଯାଇଥିବା ମାଟି ବିକ୍ରି କରିବାକୁ ହାଇୱାରେ ଭର୍ତ୍ତି କରି ନିଆଯାଉଥିବା ବେଳେ ଉପଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଅତିରିକ୍ତ ତହସିଲଦାର ଚଢ଼ଉ କରି ଗାଡ଼ି ଓ ଜେସିବିକୁ ଜବତ କରି କୁଚିଣ୍ଡା ଥାନାରେ ରଖିଥିଲେ। ଏହି ଘଟଣାରେ ଶ୍ରୀ ପଟେଲଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। ଏହି ଜରିମାନା ଅର୍ଥ କମ୍‌ କରିବାକୁ ଏବଂ ଗାଡ଼ିକୁ ଛାଡ଼ିଦେବାକୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦର ଛିଣ୍ଡିଥିଲା। ଏହି ଲାଞ୍ଚ ବାବଦ ଅର୍ଥ ଦେଉଥିବା ସମୟରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରି ଉକ୍ତ ଟଙ୍କାକୁ ଜବତ କରିଥିଲେ। ସେହିପରି ଡ୍ରରୁ ୨୧, ୧୪୦ ଟଙ୍କା ବାହାରିଥିଲା। ଏହା ପରେ ତାଙ୍କ ସରକାରୀ ବାସଭବନରେ ଚଢ଼ଉ ବେଳେ ୨ ଲକ୍ଷ ୮୨ ହଜାର ୪୭୦ ଟଙ୍କା ମିଳିଥିଲା। ଅନ୍ୟପକ୍ଷରେ ଶନିବାର ଏକ ଟ୍ରାକ୍ଟର ଚାଳାକଙ୍କଠାରୁ ୫୦ ହଜାର ଲାଞ୍ଚ ନେଇଥିବା ଜଣେ ଚାଳକ ମଧ୍ୟ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଟ୍ରାକ୍ଟରକୁ ୪ ଲକ୍ଷ ଟଙ୍କା ଜାରିମାନା କରାଯାଇଥିବା ମଧ୍ୟ କୁହାଯାଉଛି।

ଅତିରିକ୍ତ ତହସିଲଦାର ସାରଦା ମହାରଣା ଗଣମାଧ୍ୟମକୁ କହିଛନ୍ତି ଯେ କୁଚିଣ୍ଡା ଅଞ୍ଚଳରେ ପାଉଁଶ ରଖିବା ପାଇଁ ଜଙ୍ଗଲ ଭିତରେ ପୋଖରୀ ଖନନ କରାଯାଇଛି। ଏଥିରେ ବାହାରୁଥିବା ମାଟିକୁ ଗାଡ଼ିରେ ଚାଲାଣ କରାଯାଉଥିଲା। ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଗାଡ଼ିକୁ ଥାନାରେ ଅଟକ ରଖାଯାଇଥିଲା। ପରେ ପୋଖରୀ ଖୋଳା ବନ୍ଦ କରାଯାଇଥିଲା। ଏ ନେଇ ଉକ୍ତ ଗାଡ଼ିକୁ ୫ ଲକ୍ଷ ଜରିମାନା କରାଯାଇଥିଲା। ମାତ୍ର ଏହି ଜରିମାନାକୁ କେନ୍ଦ୍ର କରି ତାଙ୍କ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଚାପ ରହିଥିଲା। ଏପରିକି ଭୟଭୀତ ମଧ୍ୟ କରାଯାଉଥିଲା ବୋଲି ସେ କହିଛନ୍ତି। ଆଜି ମଧ୍ୟ ମୁଁ ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲି। ମୁଁ ଏଠାକୁ ଆସିବା ପରେ ଧରପଗଡ଼ ଜୋରଦାର କରାଯାଇଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। କୌଣସି ଅନିୟମିତତା ହୋଇନି। ଏହାର ସମସ୍ତ ପ୍ରମାଣ ଏବଂ କାଗଜପତ୍ର ରହିଛି। ଯିଏ ଲାଞ୍ଚ ନେବାର ଅଭିଯୋଗ ଆଣିଛନ୍ତି, ସେ ପୂରା ୫ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ଆଜି ଅଣ୍ଡରଟେକିଂ ବି ଲେଖିଯାଇଛନ୍ତି ବୋଲି ଶ୍ରୀମତୀ ମହାରଣା କହିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ମନ୍ତ୍ରୀ ନବ ଦାସଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।

ସମ୍ବନ୍ଧିତ ଖବର