ଆଦିତ୍ୟ ବିର୍ଲା ସୋଲାର ପ୍ଲାଣ୍ଟରୁ ଚୋରି: ନାବାଳକ ସମେତ ୪ ଗିରଫ, ଗାଡ଼ି ଜବତ

ଟିକିରି: ଟିକିରି ଥାନା ଓଷାପଡ଼ାସ୍ଥିତ ଆଦିତ୍ୟ ବିର୍ଲା ସୋଲାର ପ୍ଲାଣ୍ଟରୁ ଚୋରି ମାମଲାରେ ଟିକିରି ପୁଲିସକୁ ସଫଳତା ମିଳିଛି। ଚୋରି ହୋଇଥିବା ୧୨ଟି ସୋଲାର୍ ପ୍ୟାନେଲକୁ ପୁଲିସ୍ ଉଦ୍ଧାର କରିବା ସହ ମାମଲାରେ ସଂପୃକ୍ତ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି। ଚୋରିରେ ବ୍ୟବହୃତ ବୋଲେରୋ ନଂ-ଓଡ଼ି୧୮ଏ-୯୧୩୯ କୁ ପୁଲିସ୍ ଜବତ କରିଛି।

୨୦୨୦ ସେପ୍ଟେମ୍ବର ୧୨/୧୩ ଏବଂ ୧୮/୧୯ ତାରିଖ ରାତିରେ ଆଦିତ୍ୟ ବିର୍ଲା ସୋଲାର୍ ପ୍ଲାଣ୍ଟରୁ ପ୍ୟାନେଲ୍ ଚୋରି ହୋଇଥିଲା। ୨୦୨୧ ଜାନୁଆରୀ ୧ ତାରିଖ ବିଳମ୍ବିତ ରାତିରେ ପୁଣି ଚୋରି ହେବାରୁ ଏ ନେଇ ସୋଲାର ପ୍ଲାଣ୍ଟରୁ ଦିଗାମ୍ବର ସାହୁ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ ପରେ ଥାନା ଅଧିକାରୀ ବନ୍ଦନା ନାୟକଙ୍କ ନେତୃତ୍ବରେ ଏସଆଇ ବିକାଶ କୁମାର ପ୍ରଧାନ, ଏସଆଇ ଏନ. କେ. ବେହେରା, ଏଏସଆଇ ଏସ. ସିରିକା ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଟିକିରି ଏବଂ ଆଖପାଖରେ ସୋଲାର ପ୍ୟାନେଲର ଚୋରା କାରବାର ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା। ଗତକାଲି ରାତିରେ ଟିକିରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ଟି ସୋଲାର ପ୍ୟାନେଲକୁ ଜବତ କରିବା ସହ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର