ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣାର ତଦନ୍ତ ଶୀଘ୍ର ଶେଷ କରିବା ପାଇଁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାସ, ବାପା ନନ୍ଦକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏକ ମାସ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ, ଆଦିତ୍ୟ ବୃଦ୍ଧାଶ୍ରମ କରିବା ସହିତ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ତାଛଡ଼ା ଆଦିତ୍ୟ ‘ମୋଟିଭେସନାଲ ସ୍ପିକର’ ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ନିଜ ସେବା ଓ ସାମାଜିକ କାର୍ଯ୍ୟ ପାଇଁ ଆଦିତ୍ୟ ରାଜ୍ୟ ତଥା ଦେଶବିଦେଶରେ ମଧ୍ୟ ଲୋକପ୍ରିୟ ହୋଇପାରିଥିଲେ। ଉଭୟ ପରିବାର ସହମତିରେ ବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟଙ୍କ ବିବାହ ହୋଇଥିଲା। କିନ୍ତୁ ବିଭାଗରର ୨୭ ଦିନ ପରେ ଆଦିତ୍ୟ ଘରେ ମିଳି ନଥିଲେ। ବହୁତ ଖୋଜାଖୋଜି ପରେ ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ଜିଆରପି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରାଯାଉନାହିଁ। ଆଦିତ୍ୟଙ୍କ ମୃତ୍ୟୁର କାରଣ ତଦନ୍ତକାରୀ ସଂସ୍ଥା ଜାଣି ପାରିନାହିଁ। ଏହି ଘଟଣାରେ ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ଦିଗରେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଦାୟର ଆବେଦନରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ନଜିର ଦିଆଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର

Comments are closed.