ମାନବପ୍ରେମୀ ଆଦିତ୍ୟ ଦାଶ ମାମଲାରେ ନୂଆ ମୋଡ଼ : ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ ପ୍ରାର୍ଥନା କରି ଦାୟର ମାମଲା ନୂଆ ମୋଡ଼ ନେଇଛି। ଆଦିତ୍ୟଙ୍କ ମୃତ୍ୟୁ ପରେ ଜଣେ ‘ସାଇକୋ ଲେଡି’ ପ୍ରସଂଗ ଉଠିଥିବାବେଳେ ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ବାଲେଶ୍ବର ଖଇରା ଥାନାରେ ୨୦୨୦, ସେପ୍ଟେମ୍ବର ୫ରେ ରୁଜୁ ଏଫଆଇଆର ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଖଇରା ଥାନାରେ ରୁଜୁ ଏହି ଏଫଆଇଆରର ଏବେ କଣ ସ୍ଥିତି ରହିଛି ସେ ନେଇ ସରକାର ହାଇକୋର୍ଟଙ୍କୁ ଅବଗତ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୬କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପିପୁଲ ଫର ସେବା ସଦସ୍ୟ ଏମ.ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ନିହାର ରଂଜନ ଓଝା ସୂଚନା ଦେଇଛନ୍ତି।

ଆଦିତ୍ୟଙ୍କ ମୃତଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା। ଜିଆର୍‌ପି ଥାନାରେ ମାମଲା ରୁଜୁ କରି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟଣାର ତଦନ୍ତ ଜିଆର୍‌ପି ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ଦିଆ‌ଯାଇଥିଲା। ଆଦିତ୍ୟଙ୍କ ମୃତ୍ୟୁ ପରେ ଜଣେ ‘ସାଇକୋ ଲେଡି’ଙ୍କ ପ୍ରସଂଗ ଉଠିଥିଲା। ଏ ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା। ଏଭଳି ଘଟଣାକୁ ନେଇ ବାଲେଶ୍ବର ଖଇରା ଥାନାରେ ୨୦୨୦, ସେପ୍ଟେମ୍ବର ୫ରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର