କଟକ : ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରୁଜୁ ଦୁଇ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ସଂପର୍କିତ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଆଜି ଶୁଣାଣି ଅସଂପୂର୍ଣ୍ଣ ରହିଛି। ଏପ୍ରିଲ ୧୫କୁ ଉଭୟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ସୂଚନା ଅନୁସାରେ ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ପ୍ରଥମେ ହାଇକୋର୍ଟରେ ଆବେଦନ ଦାୟର କରାଯାଇଥିଲା। ପରବର୍ତ୍ତୀ ସମୟରେ ପିପୁଲ ଫର୍ ସେବା ଅନୁଷ୍ଠାନର ଏମ.ବେହେରାଙ୍କ ପକ୍ଷରୁ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ପୃଥକ ମାମଲା ଦାୟର କରାଯାଇଥିଲା। ଉଭୟ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ପଦ୍ମାଳୟା ଦାସ ଓ ଅନ୍ୟମାନଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଓ ଏମ.ବେହେରାଙ୍କ ପକ୍ଷରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Aditya_Dash.jpg)