ଆଦିତ୍ୟ ମୃତ୍ୟୁ ମା‌ମଲାରେ ଟ୍ବିଷ୍ଟ : ଖୁଲାସା କରିବେ ବଲାଙ୍ଗୀର ବନ୍ଧୁ

ଭୁବନେଶ୍ବର : ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ୧୦ ଦିନ ପରେ ଆସିଛି ଟ୍ବିଷ୍ଟ। ଆଦିତ୍ୟଙ୍କର ଏକ ନିର୍ଦ୍ଦିଷ୍ଟ ଅଭ୍ୟାସ ଓ ଗୁଣ ସମ୍ପର୍କରେ ଜାଣିବାକୁ ପାଇଛି ରେଳବାଇ ପୁଲିସ। ଏହି ଅଭ୍ୟାସ କିମ୍ବା ଗୁଣ ସମ୍ବନ୍ଦରେ ଜାଣିବା ପାଇଁ ରେଳବାଇ ପୁଲିସ ଉଦ୍ୟମ ଆରମ୍ଭ କରିଛି। ହ୍ବାଟ୍‌ସ୍‌ଆପ୍‌ ଚାଟ୍‌ ଓ କେତେକ ପ୍ରମାଣକୁ ଆଧାର କରି ପୁଲିସ ଏ ସମ୍ବନ୍ଧରେ ଜାଣିବା ପରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ବଲାଙ୍ଗୀରର ବିଶ୍ବମୋହନ ଭୋଇଙ୍କୁ ଜେରା କରିବାକୁ ଯୋଜନା କରିଛି। ଏ ନେଇ ରେଳବାଇ ପୁଲିସ ପକ୍ଷରୁ ବିଶ୍ବମୋହନଙ୍କୁ ନୋଟିସ ଜାରି କରାଯାଇଛି। ସେ ହାଜର ହେବା ପରେ ଏହି ନୂଆ ଟ୍ବିଷ୍ଟର ରହସ୍ୟ ଉନ୍ମୋଚନ ହେବ।

ଅନ୍ୟପଟେ ଗତ ଦୁଇଦିନ ଭିତରେ ବିକାଶ ଓ ପପୁଙ୍କୁ ଜେରା କରା ଯାଇଥିବା ବେଳେ ଆଜି ପ୍ରୀତମ୍‌ ଓ ଆଦିତ୍ୟ ରହୁଥିବା ଭଡ଼ା ଘର ମାଲିକଙ୍କୁ ମଧ୍ୟ ଜେରା କରିଛି। ଏହି ଅଭ୍ୟାସ କିମ୍ବା ଗୁଣକୁ ନେଇ ବୈବାହିକ ସମ୍ପର୍କ ପ୍ରଭାବିତ ହୋଇନି ତ? ପତି-ପତ୍ନୀଙ୍କ ମଧ୍ୟରେ କେବେ ଝଗଡା ହେଉଥିଲା କି? ଉଭୟଙ୍କ ମଧ୍ୟରେ ସମ୍ପର୍କ କିଭଳି ଥିଲା? ଆଜି ଘରମାଲିକଙ୍କୁ ଜେରା କଲା ବେଳେ ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ରେଳବାଇ ପୁଲିସ। ଅନ୍ୟପଟେ ଆଦିତ୍ୟଙ୍କ ପତ୍ନୀ ଦାମ୍ପତ୍ୟ ଜୀବନ ସୁଖମୟ ଥିବା କହିଛନ୍ତି। ଆଦିତ୍ୟ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଖୁବ୍‌ ଭଲ ପାଉଥିବା ମଧ୍ୟ କହିଛନ୍ତି। ତେବେ ବିଦ୍ୟାଶ୍ରୀଙ୍କୁ ଖୁବ୍‌ଶୀଘ୍ର ଜେରା କରା ଯିବ ବୋଲି ପୁଲିସ କହିଛି।

ସେହିଭଳି ଅନୁଷ୍ଠାନର କଳିଙ୍ଗ ବିହାର ୟୁନିୟନ ବ୍ୟାଙ୍କ ଆକାଉଣ୍ଟ ଓ ବାଳକାଟିରେ ଥିବା ଏସ୍‌ବିଆଇ ଆକାଉଣ୍ଟର ଡିଟେଲ୍ସ ରେଳବାଇ ପୁଲିସର ହସ୍ତଗତ ହୋଇଛି। କେତେ ଟଙ୍କା ଆସୁଥିଲା, କିଏ କିଏ ଟଙ୍କା ନେଇଛନ୍ତି, ଏ ସବୁର ହିସାବ କିତାବ ଚାଲିଛି। ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକ ଅଜଣା ନମ୍ବର ସହ କଥା ହୋଇଥିବା ନେଇ ପୁଲିସ ପ୍ରମାଣ ପାଇଛି। ୬ଟା ୪୨ରେ ଏହି ନମ୍ବରକୁ ଶେଷ କଲଥିଲା। ୭ଟା ୧୪ରେ ଆଦିତ୍ୟ ଜୀବନ ଓ ମୃତ୍ୟୁକୁ ନେଇ ଶେଷ ଫେସବୁକ ପୋଷ୍ଟ କରିଥିଲେ। ରାତି ୮ ଟା ପୂର୍ବରୁ ସେ ଷ୍ଟେସନ ଆଡ଼େ ଚାଲି ଚାଲି ଯାଉଥିବା ସିସିଟିଭି ଫୁଟେଜରେ ପ୍ରମାଣ ରହିଛି। ୧୭ ମିନିଟ୍‌ ପରେ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଛି। ଏ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ରେଳବାଇ ପୁଲିସ ଖୁବ୍‌ଶୀଘ୍ର ମାମଲାର ଅନ୍ତ ଘଟାଇବାକୁ ଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର