ଭୁବନେଶ୍ୱର : ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ପୂରିଛି ମାସେ। ମାସେ ତଳେ ଠିକ୍ ଆଜିର ଦିନରେ ଆଦିତ୍ୟଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ପ୍ରଥମେ ଅପମୃତ୍ୟୁ ପରେ ହତ୍ୟା ମାମଲା ରୁଜୁ ହୋଇ ଖୋଳତାଡ଼ ହୋଇଥିଲେ ମଧ୍ୟ ତଦନ୍ତ ସରୁନି। ୨୪ ଦିନ ଧରି ଜିଆରପି ମାମଲାରେ ତଦନ୍ତ କରିବା ପରେ ଏବେ ଏକ ସପ୍ତାହ ହେବ କ୍ରାଇମ୍ବ୍ରାଞ୍ଚ ମଧ୍ୟ ତନାଘନା ଚଳାଇଛି। ହେଲେ ଫଳ ଶୂନ। ମାମଲା ଅଡ଼ୁଆ ସୂତା ଭଳି ବେଶି ବେଶି ଅଡ଼ୁଆ ହେବାରେ ଲାଗିଛି। କେତେବେଳେ ପପୁଙ୍କୁ ଜେରା ତ କେତେବେଳେ ବିକାଶଙ୍କୁ ପଚରା ଉଚରା। ଆଉ କେତେବେଳେ ବିଦ୍ୟାଶ୍ରୀଙ୍କୁ ପ୍ରଶ୍ନବାଣରେ ଅଥୟ କରୁଛି କ୍ରାଇମ୍ବ୍ରାଞ୍ଚ। ତେବେ ଖୁବ୍ଶୀଘ୍ର ଏହି ତିନିଜଣଙ୍କର ପଲିଗ୍ରାଫ୍ ଟେଷ୍ଟ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ପପୁ, ବିକାଶ ଓ ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ଏଭଳି ଏକ ପରୀକ୍ଷାର ଆବଶ୍ୟକତା ପଡ଼ୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ କ୍ରାଇମ୍ବ୍ରାଞ୍ଚ ମଧ୍ୟ ମାମଲାର ହୁଗୁଳା ତଦନ୍ତ କରୁଥିବା ଅଭିଯୋଗ ଉଠିଛି। ଯେଉଁ ଦିଗରେ ଜିଆରପି ଯାଉଥିଲା କ୍ରାଇମ୍ବ୍ରାଞ୍ଚ ମଧ୍ୟ ସେହି ମୁହାଁ ହୋଇଛି। ଏଣୁ ମାମଲାର ତଦନ୍ତ ସିବିଆଇ କରୁ ବୋଲି ପିପୁଲ ଫର ସେବାର ଓକିଲ କହିଛନ୍ତି। ଅଦ୍ୟାବଧି ବାହାଘରର ମୁଖ୍ୟ ପୁରୋଧା ସାଜିଥିବା ସମ୍ପୃକ୍ତ ଓଏଏସ୍ ଅଫିସରଙ୍କୁ ଜେରା କରାଗଲା ନାହିଁ। ମାମଲାରେ କ’ଣ ପ୍ରଗତି ହୋଇଛି ତାହା ମଧ୍ୟ କ୍ରାଇମ୍ବ୍ରାଞ୍ଚ ପ୍ରକାଶ କରୁନାହିଁ। ୨୪ ଦିନ ଧରି ଜିଆରପି କ’ଣ ତଦନ୍ତ କରିଥିଲା ତାହାର ମଧ୍ୟ ହିସାବ ନାହିଁ। କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି, ପୁଣି ଥରେ ସମସ୍ତଙ୍କୁ ଜେରା କରୁଛନ୍ତି, ଲାଗୁଛି ଯେମିତି ତଦନ୍ତ ପୁଣି ମୂଳରୁ ଆରମ୍ଭ ହେଉଛି। ଶେଷରେ କିଛି ନ ପାଇ କାହାକୁ ‘ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା’ ଅଭିଯୋଗରେ ଗିରଫ କରି କାମ ସାରିଦେବା ଭଳି ଅନୁମେୟ ହେଉଛି। ଏଣୁ ସମୟ ନଷ୍ଟ ନ କରି ସିବିଆଇକୁ ତଦନ୍ତ ପାଇଁ ମାମଲା ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି।
ତେବେ ସିବିଆଇ ତଦନ୍ତ ଦାବି ହେବା ନୂଆ କଥା ନୁହେଁ। ପୂର୍ବରୁ କେତେକ ସଂଗଠନ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ। ଜିଆରପି ଯେହେତୁ ଏଭଳି ସଙ୍ଗିନ ମାମଲାର ତଦନ୍ତ କରିବା ପରିମାଣ ନଗଣ୍ୟ ସେଥିପାଇଁ ସିବିଆଇକୁ ଦେବାପାଇଁ ଦାବି ହୋଇଥିଲା। କିନ୍ତୁ ଏବେ କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ମଧ୍ୟ ସତ୍ୟାସତ୍ୟ ଉନ୍ମୋଚନ ନ ହେବା ନେଇ ଆଶଙ୍କା ପ୍ରକାଶ ପାଇବା ଆଦିତ୍ୟ ମୃତ୍ୟୁ ମାମଲାକୁ ଆହୁରି ରହସ୍ୟମୟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/aditya-2.jpg)