କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ଜାହିର୍ କଲେ
ସିବିଆଇ ତଦନ୍ତ ଦାବି
ପପୁ, ବିକାଶ, ଦୀପକଙ୍କ ପଲିଗ୍ରାଫ୍ ଟେଷ୍ଟ
ଭୁବନେଶ୍ବର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ ଆଜି ଏକ ନୂଆ ମୋଡ଼ ଆସିଛି। କ୍ରାଇମ୍ବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଜି ହାଇକୋର୍ଟରେ ପହଞ୍ଚିଛନ୍ତି। ଏଥିସହ ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ କୋର୍ଟଙ୍କୁ ଅନୁରୋଧ କହିଛନ୍ତି। କ୍ରାଇମ୍ବ୍ରାଞ୍ଚ ତଦନ୍ତ ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିଆସୁଥିବା ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ୍ ଟେଷ୍ଟ ହେବାର ୧୨ଘଣ୍ଟା ନ ପୂରୁଣୁ ଏମିତି କ’ଣ ହୋଇଗଲା ଯେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଏ ଡିଟେକ୍ସନ ଟେଷ୍ଟରେ କ’ଣ ପ୍ରଶ୍ନ ପଚରା ହେଲା ଯେ ତାଙ୍କର କ୍ରାଇମ୍ବ୍ରାଞ୍ଚ ଉପରୁ ଭରସା ତୁଟିଗଲା? ମାମଲା ଚୂଡ଼ାନ୍ତ ରୂପ ନେବା ବେଳକୁ ଏଭଳି ଦାବି କାହିଁକି? ବିଦ୍ୟାଶ୍ରୀଙ୍କ ହାଇକୋର୍ଟ ଯିବା ପଛରେ ଆଉ କେହି ନାହାନ୍ତି ତ; ଆଦିତ୍ୟଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଏବେ ଏ ସବୁ ପ୍ରଶ୍ନ ବସା ବାନ୍ଧିଲାଣି।
ଦିନ ଥିଲା, ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ଅଡ଼ି ବସିଥିଲେ ବିଦ୍ୟାଶ୍ରୀ। ତାଙ୍କ ସହ ପିପୁଲ୍ ଫର୍ ସେବାର ସଦସ୍ୟ ପପୁ, ବିକାଶ ଓ ଦୀପକ ମଧ୍ୟ ଅନୁରୂପ ଦାବି କରିଥିଲେ। ତେଣୁ କ୍ରାଇମ୍ବ୍ରାଞ୍ଚ ନୋଟିସ୍ ଦେବା ପୂର୍ବରୁ ସେମାନେ ନିଜ ଆଡ଼ୁ ଲାଏ-ଡିଟେକ୍ସନ୍ ବା ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ। ହେଲେ ଗତକାଲି ବିଦ୍ୟାଶ୍ରୀଙ୍କ ଟେଷ୍ଟ କରାଯିବା ପରେ ଆଜି ହଠାତ୍ ତାଙ୍କ ମୁଡ୍ ବଦଳି ଯାଇଛି। କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ଯାଇଛନ୍ତି। ଏ ସଂପର୍କରେ ଆଜି ବିଦ୍ୟାଶ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଗକୁ କ’ଣ ହେଉଛି ଦେଖ, ସବୁ ରହସ୍ୟ ଉପରୁ ପରଦା ହଟିବ। ସେହିପରି ଆଦିତ୍ୟଙ୍କ ବାପା ନନ୍ଦକିଶୋର କହିଛନ୍ତି, ଏତେ ଦିନ ଧରି କ୍ରାଇମ୍ବ୍ରାଞ୍ଚ କେବଳ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଅନୁମାନ କରାଯାଉଛି। ତଦନ୍ତ ଏଭଳି ହେଲେ ନ୍ୟାୟ ମିଳିବା ମୁସ୍କିଲ ହେବ। ତେଣୁ ଆମେ ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କହିଛନ୍ତି।
ଅପରପକ୍ଷେ ଆଜି କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ ଓ ଦୀପକଙ୍କ ପଲିଗ୍ରାଫ୍ ଟେଷ୍ଟ କରାଇଛି। ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ରେ ଦୀର୍ଘ ସାଢ଼େ ୪ଘଣ୍ଟା ଧରି ଏହି ପରୀକ୍ଷା ହୋଇଛି। ପୂର୍ବାହ୍ନ ୧୧ଟା ବେଳେ ତିନିଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଆଣି ଲ୍ୟାବ୍ରେ ହାଜର କରାଇଥିଲା। ପରେ ଲ୍ୟାବ୍ ଟେକ୍ନିସିଆନ୍ ଜଣ ଜଣ କରି ସମସ୍ତଙ୍କୁ ପ୍ରଶ୍ନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପପୁ, ବିକାଶ ଓ ଦୀପକଙ୍କୁ ଆଜି ମୋଟ ୮୦ଟି ପ୍ରଶ୍ନ ପଚରାଯାଇଥିଲା। ତେବେ ଆଗକୁ ଆଦିତ୍ୟଙ୍କ ଅନ୍ୟ ଜଣେ ବନ୍ଧୁ ପ୍ରୀତମ୍ଙ୍କର ମଧ୍ୟ ପଲିଗ୍ରାଫ୍ ଟେଷ୍ଟ ହୋଇପାରେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/bidyashree-ff.jpg)