ଡାଏରୀରେ ଆଦିତ୍ୟ ଲେଖିଦେଲେ ମନ ତଳର ଦରଦ କଥା

ଭୁବନେଶ୍ୱର: ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସୁସାଇଡ୍ ନୋଟ୍ । ଆଦିତ୍ୟଙ୍କ ହାତ ଲେଖା ଡାଏରୀରେ ରହିଛି ମୃତ୍ୟୁ ପଛର କାହାଣୀ । ଡାଏରୀରେ ଆଦିତ୍ୟ ଦାଶ ଲେଖିଛନ୍ତି ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ, ଏତିକି ଦିନ ମୋର ଆୟୁଷ ଥିଲା । ଶେଷ ଲେଖାରେ ମା-ବାପା, ପତ୍ନୀ ଓ ବନ୍ଧୁକୁ ମନେ ପକାଇଛନ୍ତି ଆଦିତ୍ୟ ଦାଶ । ମିଳିଥିବା ସୂଚନା ମୁତାବକ ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନଭିନ୍ ଚାଲିଛି ।

ସେପଟେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ପତ୍ନୀ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ରେଳଧାରଣା କଡରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସନ୍ଦେହଘେରରେ ଅଛି ।

ଆଦିତ୍ୟ ଘର ବୌଦ୍ଧ ଜିଲ୍ଲାରେ । ସେ ଭୁବନେଶ୍ୱର ସୁନ୍ଦରପଦାରେ ବୃଦ୍ଧାଶ୍ରମ ଚଳାଉଥିଲେ । ସେ ଆଖପାଖ ଅଂଚଳରେ ଜଣେ ସ୍ୱେଚ୍ଛାସେବୀ ଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମର ଅନ୍ତେବାସୀ ଗୁମୁରି ଗୁମୁରି କାନ୍ଦୁଛନ୍ତି । ସମସ୍ତେ ଆଦିତ୍ୟଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି ।

ସମ୍ବନ୍ଧିତ ଖବର