ଆଦିତ୍ୟ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ,୧୯ରେ ଦାୟିତ୍ବଗ୍ରହଣ

ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ପାଇଁ କଲେ ଆବେଦନ

ଭୁବନେଶ୍ବର : ସତ ହେଲା ‘ସମ୍ବାଦ’ ରିପୋର୍ଟ। ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ ହେଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ପାଢ଼ୀଙ୍କୁ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନିଯୁକ୍ତି ସହ ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ପାଢ଼ୀ ଆବେଦନ କରିଛନ୍ତି।

୧୯୮୩ ମସିହା ବ୍ୟାଚ୍ ଆଇଏସ ଅଫିସର ଶ୍ରୀ ପାଢ଼ୀ ଜଣେ ସଫଳ ପ୍ରଶାସକ ଭାବେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହିଥିଲେ। ଆଇଏସ ଚାକିରି ପାଇବା ପରେ ଓଡ଼ିଶାର ଏକାଧିକ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ଏଥିସହ ସରକାରଙ୍କ ଗୃହ, ଶିଳ୍ପ ସଚିବ ରହିବା ସହ ଉନ୍ନୟନ କମିସନର ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଇଡକୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଶ୍ରୀ ପାଢ଼ୀଙ୍କ ପ୍ରଶାସନିକ ଦକ୍ଷତା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଏହାସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ବ ତୁଲାଇଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅବସର ଗ୍ରହଣ ପରେ ୨୦୧୫ ନଭେମ୍ବର ମାସରେ ଶ୍ରୀ ପାଢ଼ୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୩ ବର୍ଷ ୮ ମାସ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ଶ୍ରୀ ପାଢ଼ୀ ଆସନ୍ତା ୨୦୨୦ ଫେବ୍ରୁଆରି ମାସରେ ଅବସର ନେଇଥାନ୍ତେ। କିନ୍ତୁ ସ୍ବେଚ୍ଛାକୃତ ଅବସର ନେବାକୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରିଛନ୍ତି। ଶ୍ରୀ ପାଢ଼ୀ ମୁଖ୍ୟ ଶାସନ ସଚିବ ପଦ ଛାଡ଼ିବେ ବୋଲି ପୂର୍ବରୁ ସମ୍ବାଦରେ ପ୍ରଥମେ ଖବର ପ୍ରକାଶ ପାଇଥିଲା।

ନିଜର ନୂଆ ନିଯୁକ୍ତି ଓ ସ୍ବେଚ୍ଛାକୃତ ଅବସର ନେଇ ଶ୍ରୀ ପାଢ଼ୀ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଭାବେ ରାଜ୍ୟପାଳ ନିଯୁକ୍ତି ଦେବା ପରେ ବିଧିବଦ୍ଧ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନିଯୁକ୍ତି ପାଇବା ପରେ ସ୍ବେଚ୍ଛାକୃତ ଅବସର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରିଛନ୍ତି। ନିୟମାନୁଯାୟୀ ସ୍ବେଚ୍ଛାକୃତ ଅବସର ନେବା ପାଇଁ ୯୦ ଦିନିଆ ନୋଟିସ୍‌ ସମୟ ଥିଲେ ବି ତାଙ୍କ କ୍ଷେତ୍ରରେ ଏହାକୁ ଉଠାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଆସନ୍ତା ୧୯ ତାରିଖରେ ପୂର୍ବ ଦାୟିତ୍ବରୁ ଅବ୍ୟାହତି ସହ ସେହିଦିନ ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଭାବେ ଯୋଗଦେବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର