୧୪ ଗ‌ାଁ ଆଦିବାସୀ ଓ ଦଳିତଙ୍କ ମହାସଭା : ‘ଜୀବନ ଗଲେ ବି କାଜୁ ଜଙ୍ଗଲ ଛାଡ଼ିବୁନି’

ବେଗୁନିଆପଡ଼ା : କାଜୁ ଜଙ୍ଗଲ ଜମି ଅଧିକାର ଓ ପଟ୍ଟା ପ୍ରଦାନ ଦାବିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ତାଳସର, କୁମ୍ଭାରଗାଁ ଓ ବଡ଼ଖଈରଖମା ପଞ୍ଚାୟତର ୧୪ଟି ଗ୍ରାମର ଆଦିବାସୀ ଏବଂ ଦଳିତ ପରିବାର ମେଳି ବାନ୍ଧିଛନ୍ତି। ଜୀବନ ଗଲେ ବି କାଜୁ ଜଙ୍ଗଲକୁ କାହାରିକୁ ଛାଡ଼ିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ସେମାନଙ୍କ ଅଭିଯୋଗ ହେଉଛି, ସୁମଣ୍ଡଳ ସେକ୍ସନ ଅଧୀନରେ ଥିବା ୧ ନମ୍ବର କାଜୁ ଜଙ୍ଗଲକୁ ଗତ କିଛି ବର୍ଷ ହେଲା ଟେଣ୍ଡର୍ ଡାକି ମାଫିଆ ମାନଙ୍କୁ ଅଧିକ ଟଙ୍କାରେ ହସ୍ତାନ୍ତର କରି ଦିଆଯାଉଛି। ଫଳରେ ଜଙ୍ଗଲରେ ବର୍ଷକୁ ଥରେ ଉତ୍ପାଦିତ କାଜୁକୁ ସେମାନେ ସଂଗ୍ରହ କରି ମାଲାମାଲ୍ ହେଉଛନ୍ତି। ଏହା ଉପରେ ୧୪ଟି ଗ୍ରାମର ଲୋକେ ଜୀବନଜୀବିକା ପାଇଁ ନିର୍ଭରଶୀଳ। ସେମାନଙ୍କଠାରୁ ଏହି ଜମି ଉପରୁ ଅଧିକାର ଛଡ଼ାଇ ନିଆଯାଉଛି। ବର୍ଷ ତମାମ ଆଦିବାସୀମାନେ ଜଙ୍ଗଲକୁ ସୁରକ୍ଷା ଦେବା ସହ ଯତ୍ନ ନେଉଛନ୍ତି। ହେଲେ ଚାଷ ସମୟରେ ସରକାର ଜଙ୍ଗଲକୁ ମାଫିଆ ହାତକୁ ଛାଡ଼ି ଦେଉଛନ୍ତି। ଏଣିକି ଜୀବନ ଗଲେ ସୁଦ୍ଧା ଆଉ କାଜୁ ଜଙ୍ଗଲକୁ ଛାଡ଼ିବୁ ନାହିଁ। ଆଗାମୀ କାଜୁ ଚାଷ ଋତୁରେ ଜଙ୍ଗଲକୁ ମାଫିଆ ହାତକୁ ଟେକିବାକୁ ସୁଯୋଗ ଦେବୁନି। ସେହିପରି ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ବହୁ ବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରୁଥିବା ଅଧିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବା ବ୍ୟବସ୍ଥା ଥିଲେ ବି ଏଥିରୁ ସେମାନଙ୍କୁ ବଞ୍ଚିତ କରାଯାଉଛି। ଏଣିକି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସିପିଆଇ ନେତା ରଙ୍କନାଥ ସ୍ଵାଇଁଙ୍କ ନେତୃତ୍ବରେ ଏହି ସଭାର ଆୟୋଜନ ହୋଇଥିଲା। ଏଥିରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଭାଗବତ ପ୍ରଧାନ, ଉପସଭାପତି ଭାସ୍କର ପ୍ରଧାନ, କୋଷାଧକ୍ଷ କାଶୀନାଥ ଗୌଡ଼, ସମ୍ପାଦକ କମଳ ଲୋଚନ ଗୌଡ଼, କମିଟି ସଦସ୍ୟ ନିରଂଜନ ପ୍ରଧାନ, ମାଗି ନାହାକ, ଭଗବାନ ଗୌଡ଼, ବୃନ୍ଦାବନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁଶାନ୍ତ ଗୌଡ଼, ପଙ୍କଜ ଗୌଡ଼, ବିଜୟ ପ୍ରଧାନ ଓ ରୋଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର