ଆଦିବାସୀ ଭାଷାରେ ଶବ୍ଦକୋଷ ଖୁବ୍‌ଶୀଘ୍ର

ରାଉରକେଲା : ଆଦିବାସୀ ଭାଷାରେ ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ଭାଷାପ୍ରେମୀଙ୍କ ପାରଦର୍ଶିତା ବୃଦ୍ଧି ଉଦ୍ଦେଶ୍ୟରେ ୫ଟି ତ୍ରିଭାଷୀ ଓ ୫ଟି ଦ୍ୱିଭାଷୀ ଶବ୍ଦକୋଷ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞ କମିଟିର ଅନୁମୋଦନକ୍ରମେ ମୋଟ ୨୧ଟି ଆଦିବାସୀ ଭାଷାରେ ଅନୁରୂପ ଶବ୍ଦକୋଷ ରଚନା ଆସନ୍ତା ଅଗଷ୍ଟ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏସବୁ ଶବ୍ଦକୋଷଗୁଡ଼ିକ ୯ଟି ଆଦିବାସୀ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡ଼ିସି) ଦ୍ୱାରା ଅନୁମୋଦିତ ହେବା ପରେ ଆଗାମୀ ଅକ୍ଟୋବର ସୁଦ୍ଧା ମୁଦ୍ରଣ ଓ ବନ୍ଧେଇ କରାଯାଇ ସଂପୃକ୍ତ ଆଦିବାସୀ ଜିଲ୍ଲାଗୁଡ଼ିକର ସ୍କୁଲ ଓ ପାଠାଗାରକୁ ଯୋଗାଇ ଦିଆଯିବ। ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ଏସ୍‌ଡ଼ିସି ଅଧ୍ୟକ୍ଷଙ୍କ ବିଚାରବିମର୍ଶ କର୍ମଶାଳାରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି।

ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଜନଜାତି ଗବେଣୋ ଓ ତାଲିମ ପ୍ରତିଷ୍ଠାନରେ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଗୃହୀତ ଅନ୍ୟାନ୍ୟ ପ୍ରମୁଖ ନିଷ୍ପତ୍ତି ମଧ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ଲୋକ ନୃତ୍ୟ, ସଂଗୀତ, ହସ୍ତକଳା, ଭାଷା ଓ ରାନ୍ଧଣା ଆଦିର ପ୍ରଚାର ଓ ପ୍ରସାର ନିମନ୍ତେ ବ୍ୟାପକ ଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଥିବା ୬୨ଟି ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ନୃତ୍ୟ-ସଂଗୀତ, ହସ୍ତକଳା ଆଦିର ବିକାଶ ଓ ପ୍ରସାର ନିମନ୍ତେ ଜିଲ୍ଲା ସ୍ତରୀୟ ମେଳାରେ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବ। ଆମ ରାଜ୍ୟର ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ-ସଂଗୀତକୁ ପୂର୍ବ ଭାରତରେ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ବିଭିିନ୍ନ ନୃତ୍ୟମଣ୍ଡଳୀଙ୍କୁ ପୂର୍ବାଞ୍ଚଳ ସାସ୍କୃତିକ ପରିଷଦ (ଇଜେଡ୍‌ସିସି)ରେ ପଞ୍ଜୀକୃତ କରାଯିବ। ଏଥି ସକାଶେ ଏସ୍‌ଡିସିଗୁଡ଼ିକର ବିଧିବଦ୍ଧ ସୁପାରିସ୍‌ ଜରୁରୀ। ନୃତ୍ୟ-ସଂଗୀତ ଦଳ ପାଇଁ ବେଶଭୂଷା ଓ ସରଞ୍ଜାମଠାରୁ ଆରମ୍ଭ କରି ଆନୁଷଙ୍ଗୀକ ସାମଗ୍ରୀ ସ୍ଥାନୀୟ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡ଼ିଏ) ଯୋଗାଇବ। ପାରମ୍ପରିକ ଆଦିବାସୀ କଳା ଓ ହସ୍ତକଳାର ବିକାଶ ଲାଗି ଆଉ ୨୦୦୦ ଆଦିବାସୀ ଯୁବକ-ଯୁବତୀଙ୍କୁ ୩ ମାସିଆ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ। ରାଜ୍ୟ ଦକ୍ଷତା ବିକାଶ ନିର୍ଦ୍ଦେଶାଳୟକୁ ଯୋଗାଯୋଗ କରି ଆସନ୍ତା ଅଗଷ୍ଟ ପହିଲାରୁ ଅକ୍ଟୋବର ୩୦ ମଧ୍ୟରେ ସ୍ଥାନୀୟ ଆଇଟିଡିଏ ପ୍ରଶାସନ ଏହି ତାଲିମ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବେ। ଏହାଛଡ଼ା ଏସ୍‌ଡ଼ିସି ଜରିଆରେ ଆଦିବାସୀ କାରିଗରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ।

ଅନ୍ୟାନ୍ୟ ରାଜ୍ୟର ଲୋକ ସଂସ୍କୃତି, ପରମ୍ପରା ଓ ଚଳଣୀ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭୂତି ଆହରଣ ଲାଗି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ। ଇତିମଧ୍ୟରେ ୮୮୧୮ ପ୍ରତିନିଧିଙ୍କୁ ଚୟନ କରାଯାଇଥିବା ବେଳେ ଅବଶିଷ୍ଟ ଏସ୍‌ଡ଼ିସି ନିଜ ନିଜ ଜିଲ୍ଲାରୁ ଯଥାଶୀଘ୍ର ପ୍ରତିିନିଧି ଚୟନ କରି ତାଲିକା ଦାଖଲ କରିବେ। ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ପୂର୍ବକ ସେମାନଙ୍କ ଭ୍ରମଣ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବରରୁ ଆରମ୍ଭ ହେବ। ସେହିପରି ଆଦିବାସୀ କ୍ରୀଡ଼ାର ବିକାଶ ନିମନ୍ତେ ଖେଳାଳୀମାନଙ୍କୁ ଆବଶ୍ୟକ କ୍ରୀଡ଼ା ସରଞ୍ଜାମ ଯୋଗାଇ ଦିଆଯିବ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ବ୍ଲକରେ ଶୀତ ଋତୁରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର