୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା

ଏଥର ହାଇବ୍ରିଡ୍‌ ମୋଡ୍‌ରେ ଆୟୋଜନ ହେବ ମେଳା
ଭର୍ଚୁଆଲ୍‌ ମୋଡ୍‌ରେ ବି ମେଳା ବୁଲି ହେବ
ଅନ୍‌ଲାଇନ୍ ପଞ୍ଜୀକରଣ କଲେ ମେଳାକୁ ପ୍ରବେଶ ସହଜ ହେବ

ଭୁବନେଶ୍ବର : ଚଳିତ ବର୍ଷ କରୋନା ପାଇଁ ଆଦିବାସୀ ମେଳା ହେବ କି ନାହିଁ, ତାହା ଉପରେ ଲାଗି ରହିଥିବା ଦ୍ବନ୍ଦ୍ବ ଆଜି ଦୂର ହୋଇଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆସନ୍ତା ୨୬ ତାରିଖରୁ ଆଦିବାସୀ ମେଳା ଆରମ୍ଭ ହେଉଛି। ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ। ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ।

କୋଭିଡ୍‌ ପାଇଁ ଏଥର ଆଦିବାସୀ ମେଳାକୁ ହାଇବ୍ରିଡ୍‌ ମୋଡ୍‌ରେ ଆୟୋଜନ କରାଯାଉଛି। ଆଦିବାସୀ ପଡ଼ିଆରେ ମେଳା ହେବା ସହ ଭର୍ଚୁଆଲ୍‌ ମୋଡ୍‌ରେ ମଧ୍ୟ ଲୋକ ମେଳା ବୁଲିବା ସହ କିଣାକିଣି କରିବା‌ ପାଇଁ ବନ୍ଦୋବସ୍ତ କରାଯାଇଛି। ଆଦିବାସୀ ପଡ଼ିଆକୁ ଆସିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଆଗୁଆ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ତେବେ ଅନ୍‌ଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଏହା କେବଳ ଏକ ସ୍ବତନ୍ତ୍ର ସୁବିଧା ବୋଲି ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାନୁଆରି ୨୩ ତାରିଖରୁ ଏହି ପଞ୍ଜୀକରଣ ସୁବିଧା ମେଳାର ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ। ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରି ନ ଥିବା ବ୍ୟକ୍ତି ମଧ୍ୟ ଆଦିବାସୀ ମେଳାରେ ପ୍ରବେଶ ସୁବିଧା ପାଇବେ।

Bhubaneswar Buzz

ମେଳାର ସଫଳ ଆୟୋଜନ ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମର ଉଦ୍‌ଘାଟନ କରିଛନ୍ତି। ଲୋକସେବା ଭବନରେ ଏହାର ଶୁଭାରମ୍ଭ କରି ଶ୍ରୀ ମହାପାତ୍ର କହିଥିଲେ ଯେ କୋଭିଡ୍‌ ମହାମାରୀର ଏକ ସକରାତ୍ମକ ଫଳାଫଳ ସ୍ବରୂପ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ଏହି ଅଭିନବ ପ୍ରଚେଷ୍ଟା କରାଯାଇଛି। ମେଳାର ଭର୍ଚୁଆଲ୍‌ ମୋଡ୍‌ରେ ଏକ ବିପଣୀ ପ୍ଲାଟ୍‌ଫର୍ମ ରହିବ, ଯାହା ମାଧ୍ୟମରେ ଲୋକମାନେ ଅାଦିବାସୀ ଉତ୍ପାଦ କ୍ରୟ କରିପାରିବେ। ଏହି ବିପଣୀ ପ୍ଲାଟ୍‌ଫର୍ମକୁ ଅଧିକ ବିକାଶିତ କରି ସ୍ଥାୟୀ ପ୍ଲାଟ୍‌ଫର୍ମରେ ପରିଣତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ବାରା ବିଶ୍ବର ବିଭିନ୍ନ ସ୍ଥାନରୁ ଆଗ୍ରହୀ ବ୍ୟକ୍ତିମାନେ ବର୍ଷତମାମ ଆଦିବାସୀ ଉତ୍ପାଦ କ୍ରୟ କରିପାରିବେ।

ଏହି ଅବସରରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଲେ ଯେ ବିଭାଗର ଏ ପ୍ରକାର ପ୍ରଚେଷ୍ଟା ଫଳରେ ଓଡ଼ିଶା ଆଦିବାସୀ କଳାକାର, ଶିଳ୍ପୀ, ଉଦ୍ୟୋଗୀ ଓ ବୁଣାକାରମାନେ ବିଶ୍ବ ସହ ସଂଯୁକ୍ତ ହୋଇପାରିବେ।

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ବାବଦରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା କହିଲେ ଯେ ଫେସ୍‌ବୁକ୍, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମ ଓ ୟୁଟୁବ୍ ଆଦି ସୋସିଆଲ୍‌ ମିଡିଆକୁ ଏହି ପ୍ଲାଟ୍‌ଫର୍ମ ସହ ସଂଯୁକ୍ତ କରାଯିବ। କୋଭିଡ୍‌-୧୯ର ନିୟମ ଅନୁପାଳନକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ବିଭିନ୍ନ ଜନଜାତିମାନଙ୍କର ସ୍ବାତନ୍ତ୍ରୢ, ପରମ୍ପରା ଓ ସଂସ୍କୃତି ଆଦି ଭିତ୍ତିକ ବିଷୟ ସମ୍ପ୍ରସାରିତ ହେବ। ମେଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଶବିଦେଶର ଲୋକଙ୍କ ପାଖରେ ପହଞ୍ଚାଯିବ। ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ କ୍ଷେତ୍ରସ୍ତରୀୟ ମେଳାର ସମସ୍ତ ଦୃଶ୍ୟ ସହ ଆଦିବାସୀ ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିହେବ। ବୈଠକରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏ ବି ହୋତା, ଜନଜାତି ଉନ୍ନୟନ ସମବାୟ ନିଗମର ଅଧ୍ୟକ୍ଷ ମାନସୀ ନିମ୍ବାଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର