ରାଉରକେଲା: ବେଦବ୍ୟାସ ଟିସିଆଇ ସ’ମିଲ୍ ଛକଠାରୁ ସେକ୍ଟର- ବି, ଆର୍ଆଇଟି କଲେଜ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଦୋକାନ ଉଚ୍ଛେଦକୁ କଡ଼ା ବିରୋଧ କରାଯାଇଛି। ଥଇଥାନ ଦାବିରେ ପ୍ରାୟ ୧୨୦ ଦୋକାନୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ। ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିବାକୁ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଥଇଥାନ ପ୍ରତିଶ୍ରୁତି ନ ମିଳିଛି ସେ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବାକୁ ବ୍ୟବସାୟୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଭେଣ୍ଡିଂଜୋନ୍ କରି ଦୋକାନୀମାନଙ୍କୁ ଥଇଥାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦୋକାନୀଙ୍କ କହିବାନୁଯାୟୀ ରାସ୍ତା ଦୁଇ ପାର୍ଶ୍ବରେ ପ୍ରାୟ ୧୨୦ରୁ ଅଧିକ ଦୋକାନୀ ୪୦ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି। ଜଳଖିଆ, ପରିବା, ରାସନ, ଔଷଧ, ସାଇକଲ, ଟାୟାର ଆଦି ଦୋକାନ ସହ ମନ୍ଦିର ବି ରହିଛି। ସ୍ଥାନୀୟ ଅଞ୍ଚଳରେ କୌଣସି ମାର୍କେଟ କମ୍ପ୍ଲେକ୍ସ ସୁବିଧା ନଥିବାରୁ କଳକାରଖାନାରେ କାମକରୁଥିବା ଶ୍ରମିକ, ସ୍ଥାନୀୟ ଲୋକ, ସ୍କୁଲ ଓ କଲେଜରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ଦୋକାନ ଉପରେ ନିର୍ଭରଶୀଳ। ରାସ୍ତା ସମ୍ପ୍ରସାରଣ ଓ ମରାମତି ପାଇଁ ଦୋକାନୀମାନେ ହଟିଯିବାକୁ ସ୍ଥାନୀୟ ତହସିଲଦାର ସାତଦିନ ସମୟ ଦେଇଛନ୍ତି। ଦିଆଯାଇଥିବା ସମୟ ମଧ୍ୟରେ ଦୋକାନଗୁଡ଼ିନ ନ ହଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ତହସିଲଦାରଙ୍କ ପକ୍ଷରୁ ତାଗିଦ କରାଯାଇଛି।
ଟିସିଆଇ ଛକରେ ଦୋକାନ ଉଚ୍ଛେଦର ପ୍ରତିବାଦ; ଥଇଥାନ ଦାବିରେ ଏଡ଼ିଏମ୍ ଅଫିସ୍ ଘେରାଉ
/sambad/media/post_attachments/wp-content/uploads/2023/12/f9944e75-c3fb-4c37-a517-b6a09ba8315d.jpeg)