ଲରମ୍ଭା/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ବେଲପଡ଼ା ବ୍ଲକ୍ ଧୁମାଭଟା ଗାଁରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ସହିତ ଗତ ୧୦ଦିନ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। କରୋନାରେ ଏମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାକୁ ଆଖି ଆଗରେ ରଖି ଗୁରୁବାର ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ବେଲପଡ଼ା ପୁଲିସର ଏକ ଟିମ୍ ଗାଁକୁ ଯାଇ ୪ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
ଧୁମାଭଟା ଗ୍ରାମର ବିନୋଦ ମଲ୍ଲିକ (୪୨), କୁଳମଣି ନାଏକ (୫୪), ଡୁବଲ ବୁଡ଼େକ (୬୦), ଭଗବାନ ନାଗ (୪୮), ମାୟାଧର ବୁଡ଼େକ (୪୫), ରୋହିତ ବୁଡ଼େକ (୪୯), କୁବେର ନାଗ (୪୯), ରାଧାକାନ୍ତ ରାଉତ (୫୦), ନୂଆଦେଇ ନାଗ (୫୯), ମନୋଜ ଜୈନ (୪୯) ନିର୍ମଳା ଜୈନ (୪୫) ଓ ଅନିଲ ବୁଡ଼େକ (୩୫)ଙ୍କ ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରାଯାଉଛି ବୋଲି କୋଶଲ ସମନ୍ବୟ ସମିତିର ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ରିବେନ୍ଦ୍ର ମେହେରଙ୍କୁ ପଚାରିବାରୁ ଗାଁରେ ହୋଇଥିବା ଲୋକଙ୍କ ମୃତ୍ୟୁକୁ ନେଇ ସରକାରୀ ସ୍ତରରେ ଏଯାଏ କିଛି ସୂଚନା ନଥିବା ସେ ପ୍ରକାଶ କରିଛନ୍ତି।
କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସମୟରେ ଉପଜିଲ୍ଲାପାଳଙ୍କ ସହିତ ଧୁମାଭଟା ସରପଞ୍ଚ ଯମୁନା ରଣା ଓ ବଲାଙ୍ଗୀର କୋଶଲ ସମନ୍ବୟ ସମିତିର ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ତରୁଣ ସିଂବାଗ, ପ୍ରଶାନ୍ତ ସାହୁ, ବିଟି ପୁରୋହିତ, ବିକାଶ ବୁଡେକ, ଡିଙ୍ଗର ସିଂହ, ସିତୁ ବୁଡେକ, ପ୍ରଦୀପ ପୁରୋହିତ, ବସୁଦେବ ସାହୁ ପ୍ରମୁଖ ଉପସ୍ଥିତଥିଲେ।