ବରଗଡ଼/ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ସରିବ। ନିରପେକ୍ଷ ଓ ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ଅପିଲ୍ କରିଛି। ଶନିବାର ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଓ ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି। ନେତା ଓ କର୍ମୀ ଓ ନେତାଙ୍କୁ ତୁରନ୍ତ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଜିଲ୍ଲାପାଳ ଅପିଲ କରିଥିଲେ।
ସମସ୍ତ ହୋଟେଲ, ଗେଷ୍ଟ ହାଉସ ଓ କଲ୍ୟାଣ ମଣ୍ଡପରେ ଯାଂଚ ଆରମ୍ଭ ହୋଇଛି। ବାହାରୁ ଆସୁଥିବା ଗାଡ଼ି ଓ ଲୋକଙ୍କ ଯାଞ୍ଚ ଚାଲିବ ବୋଲି କୁହାଯାଇଛି। ନିର୍ବାଚନମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ। ମୋଟାମୋଟି ୫୧ଟି ସ୍ଥାନର ୭୯ଟି ବୁଥ୍ ସମ୍ବେଦନଶୀଳ ରହିଛି। ୪୬ଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୋଲିଂ ପାର୍ଟିର ରାତ୍ର ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମତଦାନ ଦିନ ହିଁ ସେମାନେ ବୁଥରେ ଉପସ୍ଥିତ ରହିବେ। ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଳକ୍ର ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଉପନିର୍ବାଚନରେ ମୋଟ୍ ୬୬୭ଟି ଗାଡ଼ି ବ୍ୟବହାର ହେବ। ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିେବ ବୋଲି ପ୍ରଶାସନ ସୂଚନା ଦେଇଛି।