ସୁନ୍ଦରଗଡ଼: ‘ଅଟକ ନୁହେଁ, ଆମକୁ ଗିରଫ କରି ଜେଲ୍ ପଠାଅ। ନଚେତ କୋର୍ଟ ଆଦେଶ ଆସିବା ଯାଏଁ ରେଳ ସାଇଡିଂରେ କୋଇଲା ପରିବହନ ବନ୍ଦ କର’। ଶୁକ୍ରବାର ବରପାଲି ଆନ୍ଦୋଳନସ୍ଥଳରୁ ୭୦ ଜଣ ଗ୍ରାମବାସୀଙ୍କ ସହ ତାଙ୍କୁ ପୁଲିସ ଉଠାଇ ଆଣିବା ପରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଏହି ଜିଦ୍ ଧରିଥିଲେ। ଯାହା ପ୍ରଶାସନକୁ ଅଡ଼ୁଆରେ ପକାଇ ଦେଇଥିଲା। ଶେଷରେ ବିଧାୟକଙ୍କ ଜିଦ୍ ଆଗରେ ନଇଁଛି ପ୍ରଶାସନ। ଶନିବାର ଉପଜିଲ୍ଲାପାଳ ଦାଶରଥି ସରାବୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମହେନ୍ଦ୍ର ନାଥ ମୁର୍ମୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ କୁମାର ମହାପାତ୍ର ପ୍ରମୁଖ ପୁଲିସ ବାରାକ୍କୁ ଯାଇ ଅଟକ ବିଧାୟକ ଓ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଜୁନ୍ ୬ ତାରିଖରେ ବିଧାୟକଙ୍କ ଉପସ୍ଥିତିରେ ପ୍ରଶାସନ, ଗ୍ରାମବାସୀ ଓ ପରିବହନ ସଂସ୍ଥା ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ସେ ଯାଏଁ ବରପାଲି ସାଇଡିଂରେ କୋଇଲା ପରିବହନ ବନ୍ଦ ରହିବ। ପ୍ରଶାସନର ଏହି ପ୍ରତିଶ୍ରୁତି ପରେ ୧୯ ଘଣ୍ଟା ପରେ ବାରାକରୁ ଗାଁ ଲୋକଙ୍କ ସହ ବିଧାୟକ ବାହାରିଥିଲେ।
ହେମଗିର ତହସିଲ ଅନ୍ତର୍ଗତ ବରପାଲି ରେଳ ସାଇଡିଂରେ କୋଇଲା ପରିବହନକୁ ନେଇ ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ୟରେ ୪ ମାସ ହେଲା ଛକାପଞ୍ଝା ଲାଗି ରହିଛି। ବିନା ଗ୍ରାମସଭାରେ ବରପାଲିରେ ରେଳ ସାଇଡିଂ କରିବା, କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଜୋର୍ କରି କୋଇଲା ପରିବହନ ଓ ଗ୍ରାମ୍ୟ ପ୍ରଧାନମନ୍ତ୍ରୀ ସଡ଼କରେ ଭାରୀଯାନ ଚଳାଚଳକୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି। ଅନ୍ତତଃ କୋର୍ଟ ରାୟ ଆସିବା ଯାଏଁ ଅପେକ୍ଷା କରିବାକୁ ଲୋକେ ଦାବି କରିଛନ୍ତି। ଲୋକଙ୍କ ଦାବିକୁ ସମର୍ଥନ କରି ବିଧାୟକ ଯୋଗେଶ ଜନବସତି ନିକଟରେ ଜନଜୀବନକୁ ବିପନ୍ନ କରି କିପରି ସାଇଡିଂ କରାଯିବ ବୋଲି ପ୍ରଶ୍ନ କରି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ହେଲେ ଲୋକଙ୍କ ଦାବିକୁ ନ ଶୁଣି ଗତ ଏପ୍ରିଲ ୩ ତାରିଖରେ ବିଧାୟକଙ୍କ ସହ ଗ୍ରାମବାସୀଙ୍କୁ ପୁଲିସ ଅଟକ ରଖି କୋଇଲା ପରିବହନ ପାଇଁ ବାଟ ଖୋଲି ଦେଇଥିଲା। ପ୍ରତିବାଦ ପରେ କୋର୍ଟ ରାୟ ଆସିବା ଯାଏଁ ସାଇଡିଂ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। କିନ୍ତୁ ୩୦ ତାରିଖରେ ପୁଣି ପୁଲିସ ଲଗାଇ କୋଇଲା ପରିବହନ କରାଯିବାକୁ ଯୋଜନା ଚାଲିଥିବା ଖବର ମିଳିବା ପରେ ବିଧାୟକ ଓ ଗାଁ ଲୋକେ ଧାରଣା ଦେଇଥିଲେ। ଏହା ପରେ ପୁଲିସ ବିଧାୟକଙ୍କ ସମେତ ୭୦ ଜଣ ଆନ୍ଦୋଳନକାରୀଙ୍କୁ ଉଠାଇନେଇ ପୁଲିସ ବାରାକ୍ରେ ଅଟକ ରଖିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/01/UqyCIVaPsE3nf9dILSG0.jpg)