ପ୍ରଶାସନ ଭାଙ୍ଗିଲା ବିସ୍ଥାପିତଙ୍କ ଘର

କୋମନା : ତିଖାଲି ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଘର ଭାଙ୍ଗିଦେଇଛି ପ୍ରଶାସନ। ବିସ୍ଥାପିତମାନେ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହାଯାଇଛି।

ବଲାଙ୍ଗୀର ଜିଲ୍ଲା ତୁରେକେଲା, ବଙ୍ଗୋମୁଣ୍ତା ମୁରିବାହାଲ ସମେତ ନୂଆପଡ଼ା ଜିଲ୍ଲା ଖଡ଼ିଆଳ, ବୋଡ଼େନ ଆଦି ବ୍ଲକ୍‌ର ଚାଷୀଙ୍କ ପାଇଁ ୨୦୦୦ ମସିହାରେ ତିଖାଲି ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଆରମ୍ଭରୁ ବିସ୍ଥାପିତମାନେ ଭିଟାମାଟି ଛାଡ଼ିବାକୁ ରାଜି ହୋଇ ନଥିଲେ। ପ୍ରକଳ୍ପ ଆରମ୍ଭ ହେବାର ୨୦ ବର୍ଷ ପରେ ୨୦୨୧ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। କିନ୍ତୁ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନଥିଲା। ମୁଖ୍ୟମନ୍ତ୍ରୀଙ୍କ ଲୋକାପର୍ଣ ସମୟରେ ୧୩ ବିସ୍ଥାପିତ ପରିବାରକୁ ରଜନା ସ୍କୁଲରେ ରଖାଯାଇଥିଲା। ସେମାନଙ୍କ ଦାବି ମୁତାବକ ୪ ଡିସିମିଲ୍‌ ଜମି, ପକ୍କାଘର ପାଇଁ ଆର୍ଥିକ ସହୟତା ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଏନେଇ କୌଣସି ବ୍ୟବସ୍ଥା କରାନଯିବାରୁ ବିସ୍ଥାପିତ ମାନେ ପୁଣି ତାଙ୍କ ଭିଟାମାଟିରେ ରହିଥିଲେ। ଗତ ୯ ତାରିଖରେ ପ୍ରକଳ୍ପର ପଦାଧିକାରୀ ଘର ଛାଡ଼ିବାକୁ କହିଥିଲେ। କିନ୍ତୁ ବିସ୍ଥାପିତମାନେ ତାଙ୍କ ହକ୍‌ ପାଇ ଜିଦ୍‌ କରି ଭିଟାମିଟି ଛାଡ଼ିନଥିଲେ। ପ୍ରଶାସନ ବାରମ୍ବାର ବୁଝାଇବା ପରେ ବିସ୍ଥାପିତ ମାନେ ଜିଦରେ ଅଟଳ ରହିଥିଲେ।

ଶୁକ୍ରବାର ପ୍ରକଳ୍ପ ଅଧିକାରୀ, କୋମନା ତହସିଲଦାର, ପୁଲିସ ଫୋର୍ସ ଉପସ୍ଥିତିରେ ୧୩ ବିସ୍ଥାପିତଙ୍କ ଘରକୁ ଭଙ୍ଗାଯାଇଥିଲା। ଏନେଇ ପ୍ରକଳ୍ପ ଅଧିକାରୀ ତରଣୀସେନ ସୁନାଙ୍କୁ ପଚାରିବାରୁ, ସରକାରଙ୍କ ନିର୍ଦେଶରେ ଚଳିତ ବର୍ଷ ଡ୍ୟାମ୍‌ରେ ପାଣି ରହିବ। ଯେଉଁ ଘର ଭଙ୍ଗାଯାଇଛି, ସେଠାରେ ଜଳମଗ୍ନ ହେବ ବୋଲି କହିଥିଲେ। ବିସ୍ଥାପିତଙ୍କ ଦାବି ଉପରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଠାଯାଇଛି। ସରକାରଙ୍କ ନିର୍ଦେଶ ଆସିଲେ ସହଯୋଗ କରାଯିବ। ଯେଉଁମାନଙ୍କ ଘର ନାହିଁ ସେମାନଙ୍କୁ ତିଖାଲିରେ ଥିବା କଲୋନି ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। କିନ୍ତୁ ସେହି କଲୋନିରେ ବିସ୍ଥାପିତମାନେ ରହିବାକୁ ନାରାଜ। ଘର ଭଙ୍ଗା କାର୍ଯ୍ୟ ଆଗକୁ ଜାରି ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର