ପ୍ରଶାସନିକ ବିଭାଗରେ ଏକୀକରଣ ହେଲା ୧୮ଟି ନିର୍ଦ୍ଦେଶାଳୟ

ଭୁବନେଶ୍ବର : ଜନସାଧାରଣଙ୍କୁ ତ୍ବରିତ ସେବା ପ୍ରଦାନ ପାଇଁ ଏବେ ସୁଦ୍ଧା ୧୮ଟି ବିଭାଗ ଏକୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଖୁବଶୀଘ୍ର ଏସବୁ ବିଭାଗୀୟ ନିର୍ଦ୍ଦେଶାଳୟର ତଥ୍ୟକୁ ସମ୍ପୃକ୍ତ ପ୍ରଶାସନିକ ବିଭାଗର ଡାଟାବେସ୍‌ ସହ ସଂଯୋଗ କରାଯିବ। ଆସନ୍ତାକାଲି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ସମୀକ୍ଷାବେଳେ ବିଭାଗୀୟ ତଥ୍ୟକୁ ଏକୀକରଣ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ୧୮ଟି ବିଭାଗକୁ ଚିଠି ଲେଖାଯାଇଛି। ଏକୀକରଣ ହୋଇଥିବା ବିଭାଗଗୁଡ଼ିକ ହେଲା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଯୋଜନା ଓ ସଂଯୋଜନ, ଅର୍ଥ, ପୂର୍ତ୍ତ, କୃଷି, ଗୃହ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଏମ୍‌ଏସ୍‌ଏମ୍‌ଇ, ଗୃହ ଓ ନଗର ଉନ୍ନୟନ, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ଖଣି ଓ ଇସ୍ପାତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ଜଳ ସମ୍ପଦ ବିଭାଗ। ଏସବୁ ବିଭାଗର ଫାଇଲ କାମ ଓସଵାସ୍ ସଫ୍ଟଵେର ଦ୍ବାରା ପରିଚାଳିତ ହେବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ନିର୍ଦ୍ଦେଶାଳୟ ତଥ୍ୟକୁ ସମ୍ପୃକ୍ତ ପ୍ରଶାସନିକ ବିଭାଗର ତଥ୍ୟ ସହିତ ଏକତ୍ରୀକରଣ କରିବା କାର୍ଯ୍ୟ ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି।

ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ପ୍ରଶାସନିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସ୍ବଚ୍ଛ ପ୍ରଶାସନ ଓ ସରକାରୀ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ପାଇଁ ଗୋଟିଏ ଛାତ ତଳେ ପ୍ରଶାସନିକ ବିଭାଗ ସହିତ ନିର୍ଦ୍ଦେଶାଳୟକୁ ମିଶ୍ରଣ କରିବାକୁ ଗତ ଅଗଷ୍ଟ ୨୧ ତାରିଖରେ ସରକାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର