ଶୁଣିଲାନି ପ୍ରଶାସନ, ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ନର୍ଲା : ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଭାନପୁର-ରାକ୍ସି ରାସ୍ତା ମରଣଯନ୍ତା ପାଲଟିଥିଲା। ଗୁରୁବାର ସକାଳ ୮ଟାରୁ ରାକ୍ସି ଗ୍ରାମବାସୀ ଏକତ୍ର ହୋଇ ଉକ୍ତ ରାସ୍ତାକୁ ମରାମତି କରିଛନ୍ତି।

ସୂଚନାଯୋଗ୍ୟ ଯେ ଭବାନୀପାଟଣା-ଭୁବନେଶ୍ୱର ରାଜରାସ୍ତା କଡ଼ରେ ରହିଛି ଭାନପୁର ପଞ୍ଚାୟତ। ବଫଲା, ଭାନପୁର, କମେଗାଁ ଓ ରାକ୍ସୀ ଗ୍ରାମକୁ ନେଇ ପଞ୍ଚାୟତ ଗଠିତ। ରାକ୍ସି ଗ୍ରାମ ଭାନପୁର ଠାରୁ ଦେଢ କିମି ଦୂର, ପଞ୍ଚାୟତ ସମିତି ଅଧୀନରେ ଥିବା ଏହି ରାସ୍ତାଟି ଅନେକ ଦିନ ହେବ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାର ନିର୍ମାଣ ପାଇଁ ୧୪/୧/୨୦୧୬ ରେ ଭାନପୁରର ତତ୍କାଳୀନ ସମିତି ସଦସ୍ୟ ତପନ ପଧାନ ବିଡିଓ ଅଫିସ୍‌ ସାମ୍‌ନାରେ ଧାରଣାରେ ବସିଥିଲେ। ପରବର୍ତ୍ତୀ ସମୟରେ ବିଧାୟକଙ୍କ ଅନୁଦାନରେ ମେଟାଲ୍‌ ମୋରମ୍‌ ରାସ୍ତା ନିର୍ମିତ ହୋଇଥିଲା, କିନ୍ତୁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିନାହିଁ।

ନର୍ଲା ପଞ୍ଚାୟତ ସମିତି ତରଫରୁ ଭାନପୁର ଗ୍ରାମ ଶେଷ ମୁଣ୍ଡରୁ ମାସେ ତଳେ ୧୦୦ ମିଟର କଂକ୍ରିଟ୍‌ ରାସ୍ତା ନିର୍ମିତ ହୋଇଛି। ଏଭଳି ଭାବେ ନର୍ଲା ପଞ୍ଚାୟତ ସମିତି ତରଫରୁ ୧୦ ଲକ୍ଷ ଟଙ୍କା ରାସ୍ତା ନିର୍ମାଣ ପାଇଁ ଅନୁଦାନ ରାଶି ପଡ଼ିଥିବା ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ବଳକା ରାସ୍ତା କଂକ୍ରିଟ୍‌ ହୋଇପାରିନାହିଁ। ବାରମ୍ବାର ପ୍ରଶାସନକୁ ଗୁହାରି କରି ନିରାଶ ହେବାରୁ ରାକ୍ସି ଗ୍ରାମବାସୀ ଏକତ୍ର ହୋଇ କାଦୁଅ ରାସ୍ତାରେ ମୋରମ୍‌ ପଥରଗୁଣ୍ଡ ପକାଇ ରାସ୍ତା ମରାମତି କରିଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ପଚାରିବାରୁ, ଚଳିତ ବର୍ଷା ଋତୁ ପରେ ରାସ୍ତାକୁ ସମ୍ପୂର୍ଣ୍ଣ କଂକ୍ରିଟ୍‌ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର