ପୁରୀ : ପ୍ରତିବର୍ଷ ଆଡ଼ପ ଅବଢ଼ା ନେବାପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ରହିଥାଏ। ଚଳିତବର୍ଷ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଆଡ଼ପ ଅବଢ଼ା ନେବାପାଇଁ ୩୦୦୦ ଶ୍ରଦ୍ଧାଳୁ ଟୋକନ୍ ନେଇଥିଲେ ବି କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଅବଢ଼ା ନେଇଥିଲେ। ଫଳରେ, ବଳି ପଡ଼ିଥିବା ଅବଢ଼ାକୁ ପ୍ରଶାସନ ବାଣ୍ଟି ଦେଇଥିବା ଦେଖିବାକୁ ମିଳିଛି।
ଶ୍ରୀଜିଉମାନେ ଜନ୍ମବେଦିରେ ବିରାଜମାନ ହେବାପରେ ବୁଧବାର ପ୍ରଥମ ଅନ୍ନବ୍ୟଞ୍ଜନ ଭୋଗ ଲାଗି କରାଯାଇଥିଲା। ଆଡ଼ପ ଅବଢ଼ାର ଅଧିକ ଚାହିଦା ରହିବା ଆଶାରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ୮ ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ଅବଢ଼ା ପ୍ରସ୍ତୁତ କରାଯାଇଥିଲା। ଯଦିଓ ଆଡ଼ପ ଅବଢ଼ା ନେବାପାଇଁ ଟୋକନ୍ର ବ୍ୟବସ୍ଥା କରି ଷ୍ଟଲ୍ କରାଯାଇଥିଲା, ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରତିକ୍ଷାଳୟ ଏବଂ ସାମାଜିକ ଦୂରତାରେ ବସିବା ପାଇଁ ଚୌକିର ବ୍ୟବସ୍ଥା କରାଯାଇଥିଲା, ତଥାପି ଲୋକେ ଆସି ନଥିଲେ। ମାତ୍ର ୩୦୦୦ ଶ୍ରଦ୍ଧାଳୁ ଅବଢ଼ା ନେବା ପାଇଁ ଟୋକନ୍ ନେଇଥିଲେ। କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଦେଖି ଅବଢ଼ା ବଳିଯିବାର ଆଶଙ୍କା ଦେଖାଯାଇଥିଲା।
ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଭବତାରଣ ସାହୁ ଏବଂ ରିଜର୍ଭ ଇନ୍ସ୍ପେକ୍ଟର ଟୁନା ସାହୁ ଏହି ବଳକା ଅବଢ଼ାକୁ ସର୍ବୋଦୟ ନଗରସ୍ଥିତ ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀ, ବାଇଦାସ ନଗରସ୍ଥିତ ନୀଳାଦ୍ରି ନିଳୟ ବୃଦ୍ଧାଶ୍ରମ ଏବଂ ଲୋକନାଥ ରୋଡ୍ସ୍ଥିତ ନୀଳାଦ୍ରି ନିଳୟ ସମେତ ପୁଲିସ କ୍ୟାମ୍ପରେ ରାତ୍ରୀ ଭୋଜନ ପାଇଁ ଏହି ଆଡ଼ପ ଅବଢ଼ା ପଠାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/abhada.jpg)