ଖୋର୍ଦ୍ଧା/ପୁରୀ/ନୟାଗଡ଼ : ଲଗାଣ ବର୍ଷାରେ ମହାନଦୀ ସମେତ ଅନ୍ୟ ଶାଖା ନଦୀଗୁଡ଼ିକରେ ବଢ଼ି ଆସିବାପରେ ୬ଟିରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ଅନେକ ପଞ୍ଚାୟତର ଗ୍ରାମବାସୀ ୪ ଦିନ ହେବ ଜଳବନ୍ଦି ହୋଇପଡ଼ିଛନ୍ତି। ମହାନଦୀର ପଛୁଆ ପାଣିରେ ଗଣିଆ, କଣ୍ଟିଲୋ ଓ ଭାପୁରର କିଛି କିଛି ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ରାଜୁଆ-ଦୟା ନଦୀରେ ୪ରୁ ଊର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି ଏବଂ ତିରିମଲ ଘାଇ ମେଲି ହୋଇ ୩୦୦ ଫୁଟ ହେଲାଣି। ପୁରୀ ଜିଲ୍ଲାରେ କୁଶଭଦ୍ରା ଓ ମକରା ଘାଇ ଶହେ ଫୁଟରୁ ଅଧିକ ମେଲିଲାଣି। କଣାସ, ଗୋପ, ନିମାପଡ଼ା, ଡେଲାଙ୍ଗର ୩ ଶହରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ପୁରୀ-ଗୋପ ଏବଂ ନିମାପଡ଼ା-ଭୁବନେଶ୍ବର ରାସ୍ତାରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଜଳସ୍ତର କମିବା ବଢ଼ିବା ସ୍ଥିତିରେ ଥିବା ବେଳେ କଣ୍ଟିଲୋଠାରେ ମହାନଦୀର ଜଳସ୍ତର ବିପଦସଂକେତ ତଳେ ପ୍ରବାହିତ ହେଉଛି।

Advertisment

publive-image

ଉପରମୁଣ୍ଡରୁ ବନ୍ୟାଜଳ ନିଷ୍କାସନ ପରେ ପୁରୀ ଜିଲ୍ଲା ଦେଇ ପ୍ରବାହିତ ପ୍ରମୁଖ ନଦୀ ଫୁଲିବା ଆରମ୍ଭ କରିଛି। ଦୟା, ଭାର୍ଗବୀ, କୁଶଭଦ୍ରା, ଦେବୀ ନଦୀରେ ଆଜି ବି ବିପଦ ସଂକେତ ଉପରେ ପାଣି ଚାଲିଛି। ଗତକାଲି ଅପେକ୍ଷା ଏହି ନଦୀ ଆହୁରି ଭୟଙ୍କର ରୂପ ନେବା ସହ ଗାଁଗଣ୍ଡା ସବୁ ବୁଡ଼ାଇବା ଆରମ୍ଭ କରିଛି। ଆଜି ଗୋପ ବ୍ଲକ୍‌ ବେଦପୁର ପଞ୍ଚାୟତ ଖଣ୍ଡିଆକୁଦଠାରେ କୁଶଭଦ୍ର ନଦୀର ପ୍ରଖର ଜଳ ନଦୀବନ୍ଧ ଧୋଇ ନେବାରୁ ଗୋପ ବ୍ଲକ୍‌ର ସିଂହଭାଗ ଅଞ୍ଚଳ ଜଳମଗ୍ନ ‌ହୋଇଛି। ବିଭିନ୍ନ ଜାଗାରେ ପ୍ରମୁଖ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ‌ଷୋଳପୁରଠାରେ ପୁରୀ-ଗୋପ ରାସ୍ତାରେ ବନ୍ୟାଜଳ ୩ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। କ୍ରମେ ଏହି ପାଣିର ସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଦୟା ନଦୀର ଶାଖା ନଦୀ ମକରା ଓ ରାଜୁଆ ନଦୀବନ୍ଧ ଆଜି ସୁଦ୍ଧା ମରାମତି ହୋଇପାରିନି। ଫଳରେ, ମକରା ଓ ରାଜୁଆର ନଦୀବନ୍ଧ ଘାଇ ମେଲିବା ସହ ଶହେ ଫୁଟ ଓସାରରେ ବନ୍ୟାଜଳ କଣାସର ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରୁଛି। ନିମାପଡ଼ାରେ ଧନୁଆର ବନ୍ୟାଜଳ ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରିଛି। ନିମାପଡ଼ା-ଭୁବନେଶ୍ବର ଓ ନିମାପଡ଼ା-ବଳଙ୍ଗା ରାସ୍ତାରେ ଧନୁଆର ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଡେଲାଙ୍ଗ ଅଞ୍ଚଳରେ ଦୟା କାୟା ମେଲାଇ ବିଭିନ୍ନ ପଞ୍ଚାୟତକୁ ମାଡ଼ି ଚାଲିଥିବା ବେଳେ ପୁରୀ ସଦର ଓ ପିପିଲିରେ ଭାର୍ଗବୀ ନଦୀ ବିଭିନ୍ନ ଅଞ୍ଚଳକୁ ଜଳମଗ୍ନ କରିଛି। ଦେବୀ ନଦୀରେ ଆଜି ଜଳସ୍ତର ବିପଦ ସଂକେତ ଉପରେ ଅର୍ଥାତ୍‌ ୫.୯୪ ମିଟର ଚାଲିଥିଲେ ବି କାକଟପୁର ବ୍ଲକ କେତେକାଂଶରେ ସୁରକ୍ଷିତ ରହିଛି। କିନ୍ତୁ ଅସ୍ତରଙ୍ଗ ବ୍ଲକରେ ଏହା କିଛି ପଞ୍ଚାୟତକୁ ଜଳମଗ୍ନ କରିଛି। ପଛୁଆ ଜଳ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରି ବୁଡ଼ାଇବା ଆରମ୍ଭ କରିଛି।

publive-image

ଚଳିତବର୍ଷ ମହାନଦୀରେ ଆସିଥିବା ବନ୍ୟା ଓ ପଛୁଆ ପାଣିରେ ଖୋର୍ଦ୍ଧା ବ୍ଲକ୍‌ର ବିଭିନ୍ନ ଶାଖା ନଦୀରେ ଯେଉଁଭଳି ଘାଇ ସୃଷ୍ଟି ହୋଇଛି ତାହା ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇଛି। ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀବନ୍ଧ ଠାବ କରିବା, ମରାମତି କରିବା ଆଦି ନେଇ ଯେଉଁ ପ୍ରସ୍ତୁତି ବୈଠକ, ଯୋଜନା ହୋଇଥିଲା ଓ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ହୋଇଥିଲା ତାହା ସବୁ ଘାଇ ପାଣିରେ ଭାସି ଯାଇଛି।

ମହାନଦୀରେ ବନ୍ୟା ଆସିବା ଫଳରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକର ୫ ଗୋଟି ପଞ୍ଚାୟତ ଠାରୁ ଆରମ୍ଭ କରି ଭାପୁର ୨ ଗୋଟି ପଞ୍ଚାୟତ , ଖଣ୍ଡପଡ଼ା କଣ୍ଟିଲୋର କିଛି ଅଂଶ ପ୍ରଭାବିତ ହୋଇଥିଲା। ବିଭିନ୍ନ ରାସ୍ତାରେ ୬ ରୁ ୮ ଫୁଟ୍‌ ଉଚ୍ଚରେ ଜଳ ପ୍ରବାହିତ ହେବା ପରେ ଯୋଗଯୋଗ ବିଛିନ୍ନ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ଏଭଳି ସ୍ଥିତି‌‌ଲାଗି ରହିବା ପରେ ଆଜି ଅପରାହ୍ନ ସୁଦ୍ଧା ବିଭିନ୍ନ ଅଞ୍ଚଳରେ ଜଳସ୍ତର କମିଥିବା ବେଳେ, ପୁନର୍ବାର ସନ୍ଧ୍ୟାରେ ବଢିଥିବା ଜଣାପଡ଼ିଛି। ରାସଙ୍ଗ- ଛାମୁଣ୍ଡିଆ ରାସ୍ତାରେ ୬ରୁ ୮ ଫୁଟ୍‌ ବନ୍ୟା ଜଳ ପ୍ରବାହିତ ହେଉଥିବା ଏଥିରେ ବିଶେଷ କିଛି ଫରକ ଦେଖିବାକୁ ମିଳିନାହିଁ । ଭାପୁର ବ୍ଲକର ଫତେଗଡ଼, କରବର ସମେତ ଗଣିଆର ବେଲପଡ଼ାର ୮ ଗୋଟି ଗ୍ରାମ ମଧ୍ୟରୁ ୱାଲିପୁର, ରାଉତପଡ଼ା, ଛାମୁଣ୍ଡିଆରେ ୨୮ ଗୋଟି ଗ୍ରାମ, ରାସଙ୍ଗର ୯ ଗୋଟି ଗ୍ରାମ, କି‌ଶୋରପ୍ରସାଦର ୫ ଗୋଟି ଗ୍ରାମର ଲୋକ ଏବେବି ପାଣି ଘେରରେ ରହିଛନ୍ତି।

publive-image

ବୁଧବାର ଭୋର ୫ଟାରେ ଗୋପ ଖଣ୍ଡିଆକୁଦାଠାରେ କୁଶଭଦ୍ରା ନଦୀବନ୍ଧରେ ୪୦ ଫୁଟ ଘାଇ ସୃଷ୍ଟି ହେବାରୁ ପ୍ରଖର ବେଗରେ ବନ୍ୟାଜଳ ଗୋପ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଛି। କଣାସର ମକରା ଘାଇ ଆଜି ସୁଦ୍ଧା ମରାମତି କରିବାରେ ପ୍ରଶାସନ ବିଫଳ ଥିବାରୁ ମକରାର ଜଳ ଶହେଫୁଟ ଓସାରରେ ଘାଇ ସୃଷ୍ଟି କରି ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଛି। ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବାବେଳେ ଆସନ୍ତାକାଲି ସୁଦ୍ଧା ବାକି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା କରାଯାଉଛି। ରାଜୁଆ ନଈରେ ୩ ଶହ ଫୁଟ ଓସାରରେ ଘାଇ ସୃ‌ଷ୍ଟି ହେବା ଫଳରେ ଗଡ଼ସାନପୁଟ ପଞ୍ଚାୟତ ବହୁ ଗାଁ ଜଳମଗ୍ନ ହୋଇଛି।