ଚିକିଟି : ସବୁ ଜାଣି ବି ବେଆଇନ ଇଟାଭାଟି ମାଲିକଙ୍କୁ ପ୍ରାଶାସନିକ ଅଧିକାରୀଙ୍କ ଅହେତୁକ ଅନୁକମ୍ପା। ଚିକିଟି ବ୍ଲକ୍ ନୂଆପଡ଼ା ଅଞ୍ଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ନୂଆପଡ଼ା ଫାଣ୍ଡିର ଜଣେ ହୋମଗାର୍ଡ଼ଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଇଟାଭାଟି କୁଟୀରଶିଳ୍ପ ପାଲଟିଛି। ତେବେ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି। କେବଳ ପ୍ରତିଶ୍ରୁତି ହିଁ ମିଳୁଛି। ଗତ ଫେବ୍ରୁଆରି ମାସରେ ସମସ୍ତ ଭାଟି ଉଚ୍ଛେଦ ପାଇଁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଫଳ ଶୂନ୍। ନୂଆପଡ଼ା, ଚାନ୍ଦପୁର ଓ ଲାଲମେଣ୍ଟା ପଞ୍ଚାୟତର ୧୫ଟି ଗାଁରେ ଥିବା ୪୦ରୁ ଅଧିକ ପୋଡ଼ା ଇଟାଭାଟି ଉଚ୍ଛେଦ ହେଲାନି। ବରଂ ପ୍ରଶାସନର ଜାଣତରେ ସବୁ ଭାଟିରୁ ଇଟା ବି ବିକ୍ରି ହୋଇଗଲା। ଫଳରେ ଅଭିଯୋଗକାରୀ କାହା ଉପରେ ଭରସା କରିବେ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟକଳାପ ଜାରି ରହିଥିଲେ ହେଁ ଏହା ଉପରେ ସଂପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇବାକୁ ପ୍ରଶାସନର ନିଘା ନାହିଁ। ବରଂ ମାଲିକମାନଙ୍କୁ ସୁରକ୍ଷା ଦିଆଯାଉଛି। ଅଭିଯୋଗ ଆସିଲେ ରାଜସ୍ବ ନିରୀକ୍ଷକ କେବଳ ସୁପରଭାଇଜର୍ଙ୍କ ଉପରେ ଦାୟିତ୍ବ ଛାଡ଼ିଦେଉଛନ୍ତି। ଆଉ ସୁପରଭାଇଜର୍ ଭାଟି ଉଚ୍ଛେଦର ପ୍ରତିଶ୍ରୁତି ଦେଇ ନିରବଦ୍ରଷ୍ଟା ସାଜୁଛନ୍ତି।
ନୂଆପଡା ଆର୍ଆଇ ସର୍କଲ୍ ଇଲାକାରେ ମାର୍ଗଶିର ଓ ପୌଷ ଆସିଲେ ଇଟାଭାଟି ପାଇଁ ମାଫିଆମାନେ ସକ୍ରିୟ ହୋଇଉଠନ୍ତି। ଡିସେମ୍ବର ମାସରେ ଇଟା ପାଇଁ ମାଟି ସଂଗ୍ରହ ହେଉଥିବା ବେଳେ ଛାଞ୍ଚରେ ଇଟା ପ୍ରସ୍ତୁତି ହୁଏ।
ଫେବ୍ରୁଆରି ଓ ମାର୍ଚ୍ଚରେ କଞ୍ଚାଇଟାକୁ ପୋଡ଼ାଯାଏ। ତହସିଲ ପ୍ରଶାସନ ଏହା ଜାଣି ବି ନିରବ ରହିଥାଏ। ମାର୍ଚ୍ଚ ମାସ ଆସିବା କ୍ଷଣି ରାଜସ୍ବ ଆଦାୟ ପାଇଁ ଧରପଗଡ଼ ଆରମ୍ଭ ହୁଏ। ଉପରଠାଉରିଆ ଭାବେ ଚଢ଼ଉ କରି ଜରିମାନା ଓ ରାଜସ୍ବ ଆଦାୟ କରାଯାଇଥାଏ। କିନ୍ତୁ ପରୋକ୍ଷରେ ଭାଟି ମାଲିକଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/33-22.jpg)
