ବାଲେଶ୍ୱର: ବାଲେଶ୍ବର ବାମପଦାସ୍ଥିତ ଡାଲମିଆ ଭାରତ ରିଫ୍ୟାକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍ସ କାରଖାନା ସମ୍ମୁଖରେ ବହୁଦିନ ହେଲା ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ବିର୍ଲା ଟାୟାର୍ସ ଶ୍ରମିକଙ୍କୁ ଆଜି ପ୍ରଶାସନ ବଳ ପ୍ରୟୋଗ କରି ହଟାଇ ଦେଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ଧାରଣାରତ ଶ୍ରମିକ ଓ  ଶ୍ରମିକ ସଂଗଠନଗୁଡ଼ିକ ସହ ଶେଷ ପର୍ଯ୍ୟାୟ ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହେବାପରେ ଶ୍ରମିକମାନଙ୍କୁ ଜୋରଜବରଦସ୍ତ ଉଠାଇ ଦିଆଯାଇଛି।   

Advertisment

ଏହି ଶ୍ରମିକମାନେ ପୂର୍ବରୁ ବିର୍ଲା‌ ଟାୟାର୍ସରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ବକେୟା ଟଙ୍କା ପ୍ରଦାନ ସହ ନୂତନ ଭାବେ ନେଇଥିବା ଡାଲମିଆ ଓ ହିମାଦ୍ରି କେମିକାଲ୍ସରେ ପୁନଃ ନିଯୁକ୍ତି ଦାବିରେ ୮ଟି ଶ୍ରମିକ ସଂଗଠନ ନେତୃତ୍ୱରେ ୪ ମାସରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଚଳାଇଥିଲେ। ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମ୍ପୃକ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତା, କାରଖାନା କର୍ତ୍ତୃପକ୍ଷ ଓ ଶ୍ରମ ଅଧିକାରୀଙ୍କୁ ନେଇ ବାରମ୍ବାର  ଆଲୋଚନା ମଧ୍ୟ ହୋଇଥିଲା। ସମ୍ପୃକ୍ତ ଶ୍ରମିକମାନଙ୍କର ସମସ୍ୟା ଦୂର କରିବା ଲାଗି ଭୁବନେଶ୍ବର ଡାକି ବିଭାଗୀୟ ସଚିବ ଏବଂ ବାଲେଶ୍ବରର ଶାସକଦଳର ନେତୃତ୍ବ ଆଲୋଚନା କରିଥିଲେ। ମାତ୍ର, ଏତେସବୁ ବୈଠକରେ କୌଣସି ସନ୍ତୋଷଜନକ ନିଷ୍କର୍ସ ନ ବାହାରିବାରୁ ଶ୍ରମିକମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିଲେ। 

ଆଲୋଚନା ବିଫଳ ପରେ ଧାରଣାରୁ ହଟାଇଲା 
୨୦ରୁ ଊର୍ଦ୍ଧ୍ବ ଶ୍ରମିକ ଅଟକ
କାରଖାନାର ୨୦୦ ମିଟର ପରିଧି ମଧ୍ୟରେ ୧୬୩ ଧାରା

ଗତକାଲି ସଂଧ୍ୟାରେ ‌ଧାରଣାରେ ବସିଥିବା ଶ୍ରମିକ ଓ ସମ୍ପୃକ୍ତ ୮ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ ବିର୍ଲା ଟାୟାର୍ସକୁ ନୂଆ କରି ନେଇଥିବା ହିମାଦ୍ରି ଓ ଡାଲମିଆ କମ୍ପାନି  କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଶ୍ରମିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରାଯାଉଛି। ତେବେ, ଶ୍ରମିକମାନଙ୍କର ଜିଦ୍ ଯୋଗୁଁ ଏହି କାରଖାନା ପୁନଃକାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି। 

ଏହାପ‌ରେ ଆଜି ସକାଳୁ ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ସମେତ ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ନାୟକ, ରେମୁଣା ତହସିଲଦାର, ରେମୁଣା ବିଡିଓ, ସଦର ତହସିଲଦାର ପ୍ରମୁଖ ବ୍ୟାପକ ପୁଲିସ ଫୋର୍ସ ସହ କମ୍ପାନି ଫାଟକ ସମ୍ମୁଖରେ ପହଞ୍ଚି ଶ୍ରମିକମାନଙ୍କୁ ଧାରଣାରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ। ମାତ୍ର, ଶ୍ରମିକମାନେ ଜିଦ୍ ଧରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୬୩ ଲାଗୁ କରାଯାଇ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ଏହାକୁ ନେଇ ଉଭୟ ପୁଲିସ ଏବଂ ଶ୍ରମିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସ ୨୦ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ଉଠାଇ ଆଣି ବାଲେଶ୍ବର ସହର ଗାନ୍ଧୀସ୍ମୃତି ଭବନରେ ଅଟକ ରଖିଥିବା ସୂଚନା ମିଳିଛି। ଏନେଇ ଶିଳ୍ପାଞ୍ଚଳ ଥାନା ଆଇଆଇସି ଶ୍ୟାମଘନ ବେହେରାଙ୍କୁ ଯୋଗାଯୋଗ କରିବାକୁ ସେ ଛୁଟିରେ ଥିବା କହିଥିଲେ। ସେହିପରି ସିଟି ଡିଏସ୍‌ପି ଓ ଅତିରିକ୍ତ ଏସ୍‌ପି ଦେବଜ୍ୟୋତି ଦାଶ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।  ଅନ୍ୟପକ୍ଷରେ, ଧାରଣାରତ ଶ୍ରମିକଙ୍କ ପ୍ରତି ପ୍ରଶାସନର ଜୁଲମକୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ 
ଦାସ ନିନ୍ଦା କରିଛନ୍ତି।