ରୁକୁଡ଼ା ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ କଥା ଭୁଲିଯାଇଥିଲା ପ୍ରଶାସନ: ଜିଲ୍ଲାପାଳଙ୍କୁ ସମନ ପରେ ପହଞ୍ଚିଲେ ମାଳମାଳ ଅଧିକାରୀ

କୋଇଡ଼ା : ରୁକୁଡ଼ା ଜଳସେଚନ ଯୋଜନାରେ ବାସସ୍ଥାନ ଓ ଜମି ହରାଇଥିବା ଆଦିବାସୀଙ୍କୁ କ୍ଷତିପୂରଣ ଦେବା ତ ଦୂର କଥା, ସେମାନଙ୍କ ପାଖରେ ପ୍ରଶାସନ ଥରୁଟିଏ ବି ପହଞ୍ଚି ନଥିଲା। ହେଲେ ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି ଆୟୋଗଙ୍କ ସମନ ପରେ ପ୍ରକଳ୍ପ ଉଦ୍‌ଘାଟନ ହେବାର ୫ ବର୍ଷ ପରେ ମାଳମାଳ ଅଧିକାରୀ ନଦୀନାଳ ପାରହୋଇ ଓ ପଥୁରିଆ ଜଙ୍ଗଲ ରାସ୍ତାରେ ଚାଲିଚାଲି ବନ୍ଧାଭୂଇଁ ଗାଁର ବିସ୍ଥାପିତଙ୍କ ନିକଟରେ ପହଞ୍ଚିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ତରେ ରହିଛି ରୁକୁଡ଼ା ଜଳସେଚନ ପ୍ରକଳ୍ପ। ୧୯୭୨ରେ ଏହି ପ୍ରକଳ୍ପର ଯୋଜନା ହୋଇଥିଲେ ମଧ୍ୟ ନାନା ବିବାଦ ମଧ୍ୟରେ ପ୍ରକୃତରେ ୨୦୦୭ରେ କାମ ଆରମ୍ଭ ହୋଇଥିଲା। ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ।

ହେଲେ ପ୍ରକଳ୍ପ ନିକଟରେ ରହିଥିବା ବନ୍ଧାଭୂଇଁ ଗାଁର ବିର୍ଡାସାହିର ଲୋକଙ୍କ ଘରଦ୍ୱାର ଓ ଜମି ପାଣିରେ ବୁଡ଼ିଗଲା। ସାହିର ୨୦ଟି ପରିବାର ନିଜ ଭିଟାମାଟି ଛାଡ଼ି ପ୍ରାୟ ୫ କିମି ଦୂରରେ ଜଙ୍ଗଲପାହାଡ଼ ମଧ୍ୟରେ ମୁଣ୍ଡଗୁଞ୍ଜିବାକୁ ଝାଟିମାଟି ଘର କରି ରହିଲେ। ବଣାଇରୁ ଡ୍ୟାମ୍‌ ରାସ୍ତା ଦେଇ ଗଲେ ମୁଖ୍ୟ ରାସ୍ତାରୁ ୭ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତାରେ ଚାଲିଚାଲି ଗଲେ ପଡ଼ିବ ବନ୍ଧାଭୂଇଁ ଗାଁ। ଗାଁକୁ ଯିବା ପାଇଁ ନାଳ ଉପରେ ନିଜେ ଗାଁ ଲୋକେ ନିର୍ମାଣ କରିଛନ୍ତି ଏକ କାଠପୋଲ। କାଠପୋଲ ଭାଙ୍ଗିଗଲେ ବାହ୍ୟ ଜଗତରୁ ଏହି ଗାଁ ବିଚ୍ଛିନ୍ନ ହେଇଯାଏ । ସରକାରୀ ବାବୁଙ୍କର ପାଦ ଏହି ଗାଁରେ ପଡ଼େନାହିଁ । ଗାଁରେ ବିଜୁଳି, ପାନୀୟଜଳ ସୁବିଧା ନାହିଁ। ମୂଳ ଗାଁର ଏପରି ଅବସ୍ଥା ହୋଇଥିବାବେଳେ ଗାଁ ଛାଡ଼ି ଜଙ୍ଗଲ ଭିତରେ ରହୁଥିବା ୨୦ଟି ପରିବାରର ସ୍ଥିତି ଆହୁରି ଦୟନୀୟ। ଅଙ୍ଗନବାଡ଼ି କି ସ୍କୁଲ ଯିବାକୁ ହେଲେ ପାହାଡ଼ ଜଙ୍ଗଲ ଦେଇ ସେମାନଙ୍କୁ ପାଞ୍ଚ କିଲୋମିଟର ଦୂରରେ ଥିବା ନିଜ ମୂଳ ଗାଁକୁ ଏମାନଙ୍କୁ ଯିବାକୁ ପଡ଼େ ।

ନିଜ ସମସ୍ୟାକୁ ନେଇ ସାହି ଲୋକେ ଶତାଧିକ ଥର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କ ଅଫିସ ଯାଇଥିଲେ। ସମସ୍ୟା ଶୁଣିବା ତ ଦୂର କଥା ଅନେକ ସମୟରେ ଅଧିକାରୀମାନେ ‌ସେମାନଙ୍କୁ ଦେଖା ମଧ୍ୟ ଦେଇ ନଥିଲେ। ଶେଷରେ ଜାତୀୟ ଜନଜାତି ଆୟୋଗଙ୍କ ପାଖରେ ଗୁହାରି କରିଥିଲେ ଗ୍ରାମବାସୀ। ସମନ ପାଇ ଆୟୋଗଙ୍କ ଆଗରେ ଗତ ୨ରେ ସୁନ୍ଦରଗଡ଼ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଗାଁର ବିସ୍ଥାପିତଙ୍କ ପାଇଁ ପ୍ରଶାସନ କଣ କରିଛି ବୋଲି ଆୟୋଗ ଜିଲ୍ଲାପାଳଙ୍କୁ ଗୁଡ଼େଇତୁଡ଼େଇ ପଚାରିବା ସହ ରିପୋର୍ଟ ଦେବାକୁ କହିଥିଲେ। ଫଳରେ ଗତକାଲି ବଡ଼କଷ୍ଟରେ ତରବରିଆ ଭାବେ ଗାଁରେ ପହଞ୍ଚିଥିଲେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଗ୍ରାମରୋଜଗାର ସେବକ ପର୍ଯ୍ୟନ୍ତ ଅନେକ ସରକାରୀ ଅଧିକାରୀ।

ସମ୍ବନ୍ଧିତ ଖବର