ପୁରୀ: ଚୁଡ଼ଙ୍ଗ ସାହିରେ ଥିବା ୭୦୦ ବର୍ଷର ପୁରାତନ ବଡ଼ସନ୍ଥ ମଠ ନିଶ୍ଚିହ୍ନ ହେବାକୁ ଯାଉଛି। ୧୦ ଏକର ଜାଗାରେ ଛିଡ଼ା ହୋଇଥିବା ଏହି ମଠର ଅସ୍ତିତ୍ବ ନଷ୍ଟ କରିଦେବାପାଇଁ ଏକ ପ୍ରକାର ଷଡ୍ଯନ୍ତ୍ର ହୋଇଛି। ପରିକ୍ରମା ପ୍ରକଳ୍ପରେ ଉଚ୍ଛେଦର ଶିକାର ହୋଇଥିବା ମଠମାନଙ୍କର ମହନ୍ତଙ୍କୁ ଥଇଥାନ କରିବା ପାଇଁ ଏହି ମଠ ଜାଗାକୁ ଅଧିଗ୍ରହଣ କରିବାକୁ ନୋଟିସ୍ କରିଛି ପ୍ରଶାସନ। ପ୍ରାୟ ୪୫ ଡେସିମିଲି ଜମି ଅଧିଗ୍ରହଣ ଯୋଜନା ହୋଇଛି। ନୋଟିସ୍ ହେବା ପରେ ମଠ ମହନ୍ତ ହାଇକୋର୍ଟ ଯାଇଛନ୍ତି। ହାଇକୋର୍ଟରେ ମହନ୍ତଙ୍କୁ ସାମୟିକ ସୁରକ୍ଷା ମିଳିଛି। ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି।
ଜମି ଉପରେ ଆଖି ପକାଇଛି ପ୍ରଶାସନ
ଉଚ୍ଛେଦ ମଠର ମହନ୍ତମାନଙ୍କୁ ଥଇଥାନ କରିବାକୁ ଯୋଜନା, ହାଇକୋର୍ଟଙ୍କ ରୋକ୍
ଇତିହାସ କୁହେ, ମଠଟି ପୁରୀ ରାଜା ଗଙ୍ଗବଂଶର ଗୁରୁକୁଳ ମଠ। ମଠରେ ବଡ଼ବଡ଼ ସାଧୁ ସନ୍ଥ ରହୁଥିବାରୁ ଏହାର ନାମ ବଡ଼ସନ୍ଥ ଦିଆଯାଇଛି। ମଠଟି ଶ୍ରୀରାମାନନ୍ଦୀୟ ସମ୍ପ୍ରଦାୟର ଗୁରୁ ଗାଦି। ଏହି ମଠ ଶ୍ରୀମନ୍ଦିର ନୀତି ସହିତ ଜଡ଼ିତ ହୋଇ ରହିଛି। ସ୍ନାନ ପୂର୍ଣ୍ଣିମା, ଅଣସର, ରଥ ଉପର ପନ୍ତି, ବାହୁଡ଼ା ପନ୍ତି, ଝୁଲଣ ଯାତ୍ରା, ଶ୍ରୀମନ୍ଦିର ରୋଷଘର ଚୁଲି ନମ୍ବର ୬୫, ସାତପୁରୀ, ଖଟଣି, ଚାମର, ଆଲଟ, କାର୍ତ୍ତିକ ମାସର ବାଳଭୋଗ, ଅଣସର ପଣା, ଚନ୍ଦନ ସମୟରେ ୨୧ ଦିନ ପନ୍ତି ଭୋଗ, ବର୍ଷ ସାରା ଭିତରେ ସୁଦର୍ଶନ ପନ୍ତି, ବାଡ଼ି ନୃସିଂହ, ପଣ୍ଡୁ ନୃସିଂହ, ମଦନ ମୋହନ, ଶ୍ରୀଲକ୍ଷ୍ମୀ ସାଆନ୍ତାଣୀ ପନ୍ତି, ଦାଣ୍ଡଦ୍ୱାରରେ ବର୍ଷକୁ ୩୨ଟି ପନ୍ତି ହୋଇଥାଏ।
୧୮୯୯ ମସିହା ବନ୍ଦୋବସ୍ତ ରେକର୍ଡ ଅନୁଯାୟୀ ଏହାର ୧୦ ଏକର ଜମି ଥିଲା। ବିକାକିଣା ହେବା ପରେ ୧୯୮୯ ମସିହା ବନ୍ଦୋବସ୍ତରେ ମୋଟ ୬୦ ଡେସିମିଲି ରହି ଯାଇଥିଲା। ଏବେ ଯେଉଁ ୪୫ ଡେସିମିଲି ଅଧିଗ୍ରହଣ ଯୋଜନା ହୋଇଛି ସେଥିରେ ଅଣସର ଘର, ଦାରୁ ରହିବା ଘର, ଝୁଲଣଘର, ଗାଦିଘର, ରୋଷଘର, ପନ୍ତିଘର, ସନ୍ଥ ନିବାସ, ପୂଜାରୀ, କର୍ମଚାରୀ ଓ ବିଦ୍ୟାର୍ଥୀମାନଙ୍କ ରହିବା ଗୃହ, କୋଠଘର, ନାମ ସଂକୀର୍ତ୍ତନ ଘର ଓ ମହନ୍ତଙ୍କ ଘର, ଦୋଳବେଦି, ସ୍ନାନବେଦି, ସମାଧି ଘର ଆଦି ରହିଛି। ମଠକୁ ସାରା ଓଡ଼ିଶାର ସଂକୀର୍ତ୍ତନ ମଣ୍ଡଳୀ ଆସୁଛନ୍ତି। ସବୁଦିନ କୀର୍ତ୍ତନ, ସତ୍ସଙ୍ଗ ଓ ଭାଗବତ ପାଠ ହେଉଛି। ଐତିହ୍ୟ ସମ୍ପନ୍ନ ମଠଟିକୁ ଧ୍ୱଂସ ମୁଖରୁ ବଞ୍ଚାଇବା ପାଇଁ ପ୍ରଶାସନକୁ ପତ୍ର ଲେଖିଛନ୍ତି ମଠ ମହନ୍ତ ଦିବ୍ୟାନନ୍ଦ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/13/adgadzzvzvcvc-2025-10-13-03-28-25.jpg)