‘ୟାସ’ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପୁରୀ ଜିଲ୍ଲା ପ୍ରଶାସନ: ୧.୪୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ

ବିଡିଓ, ତହସିଲଦାର, ସରପଞ୍ଚଙ୍କୁ ‌ନେଇ ବୈଠକ
ଚୁଡ଼ା, ବିସ୍କୁଟ ମହଜୁଦ ରଖିବାକୁ ନିର୍ଦ୍ଦେଶ
ପ୍ରସ୍ତୁତ ରହିଛନ୍ତି ୧୨ ଅଗ୍ନିଶମ ଟିମ୍‌

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ‘ୟାସ’ ପୁଣିଥରେ ଉପକୂଳ ଓଡ଼ିଶା ପାଇଁ ବିପଦ ଆଣିଦେଇଛି। ବର୍ତ୍ତମାନ ସୁଦ୍ଧା ବାତ୍ୟାର ଦିଗ ଓ ଗତି ସ୍ପଷ୍ଟ ହୋଇ ନଥିଲେ ବି ଦୁଇବର୍ଷ ତଳେ ‘ଫନି’କୁ ଅଙ୍ଗେ ନିଭାଇଥିବା ପୁରୀ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡ଼ିଛି। ଏହାର ପ୍ରାକ୍‌ପ୍ରସ୍ତୁତି ସ୍ବରୂପ ଶନିବାର ଦିନ ଜିଲ୍ଲାପାଳ ସମର୍ଥ ବର୍ମା ୧୧ ବ୍ଲକର ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ନେଇ ବୈଠକ କରିଛନ୍ତି। ବାତ୍ୟାର ମୁକାବିଲା ପାଇଁ ସଂପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ବୈଠକ କରିବା ସହ ସମନ୍ବୟଭିତ୍ତି ଓ ସହଯୋଗ ଭିତ୍ତିରେ ବାତ୍ୟାର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବିଭିନ୍ନ ଚାଳଘରେ ଓ ସମୁଦ୍ର କୂଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୧ଲକ୍ଷ ୪୬ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ୫୪୦ଟି ବିପଦସଂକୁଳ ଗ୍ରାମ ଚିହ୍ନଟ କରାଯାଇଛି। ସ୍ଥିତି ଦେଖି ଏଠାରୁ ଲୋକଙ୍କୁ ଉଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ଶନିବାର ଅପରାହ୍ଣରେ ଜିଲ୍ଲାପାଳ ଶ୍ରୀ ବର୍ମା ଭର୍ଚୁଆଲ୍‌ ମୋଡ୍‌ରେ ସମସ୍ତ ବିଡିଓ, ତହସିଲଦାର, ସରପଞ୍ଚଙ୍କ ସହ ବାତ୍ୟା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଅସ୍ତରଙ୍ଗ, ଗୋପ ବ୍ଲକ ସମୁଦ୍ର କୂଳରେ ଥିବାରୁ ଏଥିପ୍ରତି ବି‌ଶେଷ ନଜର ରଖିବାକୁ କୁହାଯାଇଥିଲା।

ବୈଠକ ସଂପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି କି ଏହି ବୈଠକରେ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀମାନେ ବି ଉପସ୍ଥିତ ଥିଲେ। ପୁରୀ ଜିଲ୍ଲାରେ କୋଷ୍ଟାଲ୍‌ ଏରିଆ ଅଧିକ ରହିଥିବାରୁ ବାତ୍ୟା ଅଧିକ କ୍ଷୟକ୍ଷତି କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଚାଳ ଘରେ ଓ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି। ୧ଲକ୍ଷ ୪୬ହଜାର ଲୋକଙ୍କୁ ଉଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଥିଲେ ବି ସମ୍ଭାବ୍ୟ ବାତ୍ୟାର ସ୍ଥିତି ଦେଖି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ବିଡିଓ ବିପଦସଂକୁଳ ଅଞ୍ଚଳ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ବ୍ଲକରେ ୫୦ କ୍ବିଣ୍ଟାଲ ଚୁଡ଼ା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଣୀ ଚିକିତ୍ସା ବିଭାଗକୁ ଗାଈଗୋରୁଙ୍କ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି। ବର୍ତ୍ତମାନ କରୋନା ମହାମାରୀ ଚାଲିଥିବାରୁ ଏହାର ସମସ୍ତ ନିୟମ ଅନୁପାଳନ ପୂର୍ବକ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ମାଗଣା ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଚାଉଳ, ଡାଲି, ଆଳୁ ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ବାତ୍ୟା ସମୟରେ ଓ ବାତ୍ୟା ପରେ ପରିସ୍ଥିତିର କିଭଳି ମୁକାବିଲା କରାଯିବ ସେ ଉପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିବା ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟପଟେ ଜଳଯୋଗାଣ, ବିଜୁଳି ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା କରିବାକୁ ସେସୁ ଓ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତ୍ବରିତ ରାସ୍ତା ସଫା ଓ ଅନ୍ୟାନ୍ୟ ଦିଗ ଉପରେ ଦୃଷ୍ଟି ଦେବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ କୁହାଯାଇଛି।

ପୁରୀ ଡେପୁଟି ଅଗ୍ନିଶମ ଅଧିକାରୀ ବିଚିତ୍ର ପଣ୍ଡା କହିଛନ୍ତି, ସମ୍ଭାବ୍ୟା ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଆମେ ଗତକାଲିଠାରୁ ପ୍ରସ୍ତୁତ ରହିଛୁ। ସାରା ଜିଲ୍ଲାରେ ୧୨ଟି ଅଗ୍ନିଶମ କାର୍ଯ୍ୟାଳୟକୁ ଆଲର୍ଟ ଜାରି କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ୧୨ଟି ଟିମ୍‌ ବି ପ୍ରସ୍ତୁତ ରହିଛନ୍ତି। ପ୍ରତି ଟିମ୍‌ରେ ୮ଜଣ ଅଗ୍ନିଶମ ଅଧିକାରୀ, କର୍ମଚାରୀ ରହିଛନ୍ତି। ସବ୍‌ଇନ୍ସପେକ୍ଟର ରାଙ୍କର ଜଣେ ଷ୍ଟେସନ୍‌ ଅଫିସର ପ୍ରତି ଟିମ୍‌ର ନେତୃତ୍ବ ନେଉଛନ୍ତି। ବାହାର ଜିଲ୍ଲାରୁ ବି ଆଉ ୨ଟି ଟିମ୍‌ ଆସିବାର ଯୋଜନା ରହିଛି। ସେହିଭଳି ୧୨ଟି ଅଗ୍ନିଶମ ଗାଡ଼ି ସହ ଟାୱାର ଲାଇଟ୍‌, ବୋଟ୍‌, ଫାୟାର ପମ୍ପ ଆଦି ପ୍ରସ୍ତୁତ ରଖାଯାଇଛି। ତଥାପି ବାତ୍ୟାର ଗତିବିଧି ଦେଖି ଆମ ଟିମ୍‌ କାମ କରିବ। ବର୍ତ୍ତମାନ ସୁଦ୍ଧା ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇନି। ସ୍ଥିତି ଦେଖି ପୂର୍ବପ୍ରସ୍ତୁତ ଟିମ୍‌ ଗସ୍ତ କରିବେ। ଯଦି ଜିଲ୍ଲା ବାହାରକୁ ଯିବାକୁ ବି ଆଦେଶ ଆସେ, ଆମକୁ ତତ୍କାଳ ଉଦ୍ଧାର ପାଇଁ ସେଠାକୁ ଯିବାକୁ ପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର