ଢିଙ୍କିଆବାସୀଙ୍କ ସହିତ ପ୍ରଶାସନର ଆଲୋଚନା ଆଜି

ପ୍ରଫୁଲ୍ଲ ସାମନ୍ତରାୟ, ରବି ଦାସଙ୍କୁ ଫେରାଇ ଦେଲେ ଢିଙ୍କିଆବାସୀ

କୁଜଙ୍ଗ : ଦୀର୍ଘ ୧୨ ବର୍ଷର ସଂଘର୍ଷ ପରେ ଢିଙ୍କିଆ ମାଟିରେ ପାଦ ଥାପି ପାରି ନଥିଲା ‌ପୋସ୍କ। ମାତ୍ର ଖୁବ୍‌ କମ୍‌ ସମୟ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଢିଙ୍କିଆବାସୀଙ୍କ ମନରେ ପ୍ରକଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଛି। ଆଜି ଢିଙ୍କିଆବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଢିଙ୍କିଆ ମାଟିରେ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଆଲୋଚନା ପାଇଁ ଆମନ୍ତ୍ରଣ କରାଯାଇଛି। ଏହାପୂର୍ବରୁ ଶନିବାର ଦିନ ଜଣାଶୁଣା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟ, ସାମ୍ବାଦିକ ରବି ଦାସ ପ୍ରମୁଖଙ୍କୁ ଢିଙ୍କିଆ ଗ୍ରାମର ପ୍ରବେଶପଥ ପାଟଣାଠାରୁ ଗ୍ରାମବାସୀ ବିରୋଧ କରିବା ସହିତ ଗ୍ରାମକୁ ପ୍ରବେଶ କରାଇ ଦେଇ ନଥିଲେ। ଅଗତ୍ୟା ସେମାନଙ୍କୁ ସେଠାରୁ ଫେରିବାକୁ ପଡ଼ିଛି। ଆଜିର ଏହି ଘଟଣା ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଏକ ସକାରାତ୍ମକ ପଦେକ୍ଷପ ବୋଲି ଆଲୋଚନା ହେଉଛି।

ପ୍ରକାଶ ଯେ, ଗତକାଲି ଓ ଆଜି ଗ୍ରାମର ବରିଷ୍ଠ ମୁରବି ନିର୍ଭୟ ସାମନ୍ତରାୟଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ୱରର ସିଂହଙ୍କୁ ସାକ୍ଷାତ କରାଯାଇ ପ୍ରକଳ୍ପ ଓ ଏହା ବିନିମୟରେ ଢିଙ୍କିଆବାସୀଙ୍କ ସ୍ବାର୍ଥ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ଢିଙ୍କିଆ ଗ୍ରାମର ଦେବଦତ୍ତ ସ୍ବାଇଁ, ନୃସିଂହ ରାଉତ, ଅକ୍ଷୟ ବେହେରା, ନିତ୍ୟାନନ୍ଦ ଦାସ, ଅକ୍ଷୟ ଦାସ, ଯୋଗେନ୍ଦ୍ର ମଲ୍ଲିକ, ମହେଶ୍ୱର ଦାସ, ସର୍ବେଶ୍ୱର ମହାପାତ୍ର, ପ୍ରଦୀପ୍ତ ଶତପଥୀ, ନିର୍ଭୟ ଦାସ, ପୂର୍ଣ୍ଣଚନ୍ଦ୍ର ଲେଙ୍କା, ଅରକ୍ଷିତ ଲେଙ୍କା ପ୍ରମୁଖ ଜିଲ୍ଲାପାଳ ପାରୋଲ ପଟୱାରୀଙ୍କୁ ସାକ୍ଷାତ କରି ଫେରିଛନ୍ତି। ଆସନ୍ତାକାଲି(ରବିବାର) ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଓ ପୁଲିସ ପ୍ରଶାସନ ପ୍ରକଳ୍ପ ବିନିମୟରେ ଗ୍ରାମବାସୀଙ୍କ ସ୍ବାର୍ଥ ସମ୍ପର୍କିତ ଆଲୋଚନା କରାଯିବ ବୋଲି ଗ୍ରାମର ମୁରବି ଶ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି। ଏପରି ପ୍ରସ୍ତାବିତ କାର୍ଯ୍ୟକ୍ରମ ପୂର୍ବରୁ ଦୀର୍ଘଦିନ ଧରି ଢିଙ୍କିଆରେ ଚାଲିଥିବା ଶିଳ୍ପ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହିତ ଆନ୍ଦେଳନକାରୀଙ୍କ ନୈତିକ ବଳ ଯୋଗାଇଦେବା ଉଦ୍ଦେଶ୍ୟରେ ପହଞ୍ଚିଥିବା ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟ, ସାମ୍ବାଦିକ ରବି ଦାସଙ୍କୁ ଗ୍ରାମବାସୀ ଅଧାବାଟରୁ ଫେରାଇ ଦେଇଛନ୍ତି।

ଗତ କିଛିଦିନ ପୂର୍ବେ ଅନୁରୂପ ଭାବେ ସେମାନଙ୍କୁ ଢ଼ିଙ୍କିଆ ଗାଁ ପୂର୍ବରୁ ‌ଗ୍ରାମବାସୀ ଫେରାଇ ଦେଇଥିଲେ। ଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଢିଙ୍କିଆ ଗ୍ରାମର ପ୍ରବେଶପଥ ପାଟଣା ରାସ୍ତାରେ ସେମାନଙ୍କ ବାଟ ଓଗାଳି ଫେରିଯିବାକୁ ଅନୁରୋଧ କରିଥିଲେ। ବିବାଦୀୟ ସ୍ଥିତିରେ ଗାଁକୁ ଆସିବା ଦ୍ବାରା ଗାଁରେ ଭାଇଚାରା ନଷ୍ଟ ହେଉଛି ବୋଲି ଗ୍ରାମବାସୀ କହିବାରୁ ଆମ୍ଭେମାନେ ଫେରି ଆସିଲୁ ବୋଲି ଶ୍ରୀ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ଏପରିକି ଗତ ୧୪ ତାରିଖରେ ଗାଁରେ ଆନ୍ଦୋଳନ ବେଳେ ପୁଲିସ୍‌ ନିରୀହ ଲୋକଙ୍କୁ ମାଡ଼ ମାରିଲା ଓ ଗିରଫଦାରୀ କଲା। ଆହତମାନେ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଆପଣମାନେ ସେମାନଙ୍କୁ କଣ ସହାୟତା କରିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କଲାରୁ ସେମାନେ ସେଠାରୁ ଫେରି ଆସିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର