ଦୁର୍ଘଟଣାଗସ୍ତ ଯୁବକଙ୍କ ଚିକିତ୍ସା ପାଇଁ ହାତ ଟେକିଦେଲା ପ୍ରଶାସନ, ଗାଁ ଲୋକ ଚାନ୍ଦା କରି ମେଡ଼ିକାଲରୁ ଆଣିଲେ

ଆମ୍ବୁଲାନସ୍ ସହ ୧୦ ହଜାର ଆର୍ଥିକ ସହାୟତା ଦେଲେ ସାଂସଦ

ରାୟଗଡ଼ା: ପ୍ରଥମେ ଏଇଠି ଚିକିତ୍ସା ହେବନି କହି ଫେରାଇ ଦେଲେ। ଶେଷରେ ମେଡ଼ିକାଲରୁ ଘରକୁ ଯିବା ଲାଗି ଆମ୍ବୁଲାନସଟିଏ ମଧ୍ୟ ଦେଲେନି। ଶେଷରେ କୋରାପୁଟ ସାଂସଦଙ୍କ ସହାୟତା ଏବଂ ଗାଁ ଲୋକ ଚାନ୍ଦା କରି ଦୁର୍ଘଟଣାଗସ୍ତ ଯୁବକଙ୍କୁ ଗାଁକୁ ନେଲେ। ଗରିବ ରୋଗୀଙ୍କ ଚିକିତ୍ସା ଲାଗି ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ଚିକିତ୍ସା ଏବଂ ସରକାରୀ ସହାୟତା କ୍ଷେତ୍ରରେ ଏପରି ଉପେକ୍ଷା ହେବାକୁ ପଡ଼ିଛି ମୁନିଗୁଡା ବ୍ଲକ୍ କୁଟ୍ରାଗଡ଼ ପଞ୍ଚାୟତ କୁସୁମଗୁଡ଼ି ଗ୍ରାମର ହରିହର କୁସୁଲିଆଙ୍କୁ।

ଜୁଲାଇ ୧୭ ତାରିଖରେ ହରିହର ନିଜ ସାଙ୍ଗଙ୍କ ସହ ବାଇକରେ ମୁନିଗୁଡା ଅଭିମୁଖେ ଯାଉଥିଲେ। କାଦୁଅ ରାସ୍ତା ଯୋଗୁ ବାଇକ ଭାରସାମ୍ୟ ହରାଇ ପଡ଼ିଯିବା ଯୋଗୁ ହରିହରଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଗାଁ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ମୁନିଗୁଡା ମେଡ଼ିକାଲକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏଇଠି ଚିକିତ୍ସା ହେବନି ନେଇଯାଅ ବୋଲି କହିଥିଲେ।

ଡାକ୍ତର ଚିକିତ୍ସା କରିବାକୁ ମନା କରିବା ପରେ ଗାଁ ଲୋକ ହରିହରଙ୍କୁ ବିଷମକଟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମେଡ଼ିକାଲ୍ କର୍ତ୍ତୃପକ୍ଷ କହିବା ପରେ ଗ୍ରାମବାସୀ ସାଂସଦ ଇଂ. ସପ୍ତଗିରି ଉଲାକାଙ୍କ ସହାୟତା ଲୋଡ଼ିଥିଲେ। ସାଂସଦଙ୍କ ହସ୍ତକ୍ଷେପ ପରେ ରାୟଗଡ଼ା ମେଡ଼ିକାଲରେ ଯୁବକଙ୍କୁ ଚିକିତ୍ସା କରାଯାଇ ଅପରେସନ୍ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

କୋରାପୁଟରେ ଦୁଇ ଦିନର ଚିକିତ୍ସା ପରେ ଡାକ୍ତର ଟିମ୍ ହରିହରଙ୍କୁ ଏମସ୍ ଭୁବନେଶ୍ବରକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଭୁବନେଶ୍ବର ନେବାକୁ ଗାଁ ଲୋକଙ୍କୁ ପାଖରେ ପଇସା ନଥିବାରୁ ସାଂସଦ ଆମ୍ବୁଲାନସ୍ ଯୋଗାଇବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ସାଂସଦଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ଆମ୍ବୁଲାନସ୍ ଯୋଗାଇ ଦେବା ପରେ ହରିହରଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ଅପରେସନ୍ ସଫଳ ହେବା ପରେ ଡାକ୍ତର ହରିହରଙ୍କୁ ଡିସଚାର୍ଜ କରିଥିଲେ। ହେଲେ ଫେରିବାକୁ ପାଖରେ ପଇସା ନଥିବାରୁ ହରିହର ନିଜ ସହଯୋଗୀଙ୍କ ସହ ମେଡ଼ିକାଲ୍ ବାରଣ୍ଡାରେ ପଡ଼ି ରହିଥିଲେ।

ଏପରି ଦୁଃସ୍ଥିତି ସମୟରେ ହରିହରଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇବା ସହ ନିଜ ଗାଁକୁ ଫେରିବାକୁ ଏକ ଆମ୍ବୁଲାନସ୍ ଯୋଗାଇବାକୁ ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ସାଂସଦ। ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ କୋଭିଡ଼୍ ରୋଗୀ ନ ହେଲେ ଭୁବନେଶ୍ବରକୁ ଆମ୍ବୁଲାନସ୍ ପଠାଇ ହେବନି ବୋଲି ମନା କରି ଦେଇଥିଲେ ମୁଖ୍ୟ ଚିକିତ୍ସାଧିକାରୀ। ଦୁଇ ଦିନ ମେଡ଼ିକାଲ୍ ବାରଣ୍ଡାରେ ଅପେକ୍ଷା କରିବା ପରେ ଶେଷରେ ଗାଁ ଲୋକ ଚାନ୍ଦା କରି ୧୨ ହଜାର ଟଙ୍କା ଦେଇ ଘରୋଇ ଆମ୍ବୁଲାନସରେ ହରିହରଙ୍କୁ ଗାଁକୁ ଆଣିଥିଲେ। ମେଡ଼ିସିନ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ସାଂସଦ ଶ୍ରୀ ଉଲାକା ୧୦ ହଜାର ଟଙ୍କା ନିଜ ପକ୍ଷରୁ ସହାୟତା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଟଙ୍କାଟିଏ ମଧ୍ୟ ସାହାର୍ଯ୍ୟ ମିଳିନଥିବାରୁ ଗ୍ରାମବାସୀ ଅସ‌ନ୍ତୋଷ ପ୍ରକାଶ କରିଛନ୍ତି। ମାନବିକତା ଦେଖାଇ ସାଂସଦ ସହାୟତାର ହାତ ବଢ଼ାଇଥିବା ବେଳେ ପ୍ରଶାସନ ରେଡକ୍ରସ୍ ପାଣ୍ଠିରୁ ସହାୟତା କରିପାରନ୍ତା ବୋଲି କହିଛନ୍ତି ହରିହରଙ୍କ ଚିକିତ୍ସା ଦାୟିତ୍ବ ବୁଝୁଥିବା କୁଟ୍ରାଗଡ଼ର ରୋହି ଦାସ।

ସମ୍ବନ୍ଧିତ ଖବର