ପୁରୀ : ଶ୍ରୀମନ୍ଦିର ପ୍ରଶାସନ ୧୪୨ କୋଟିର ୟୁସି (ୟୁଟିଲାଇଜେସନ୍ ସାର୍ଟିଫିକେଟ୍) ସରକାରଙ୍କ ନିକଟରେ ଦାଖଲ କରିନାହିଁ। ଏଜିଙ୍କ ଏପରି ରିପୋର୍ଟ ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଏକ ଉଚ୍ଚସ୍ତରୀୟ ବୈଠକରେ ଆଇନ ବିଭାଗ ଅତିରିକ୍ତ ସଚିବ ଲଲାଟେନ୍ଦୁ ଜେନା ଏ ଉପରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିବା ସହ ତୁରନ୍ତ ଏହାର ତିନିଟି ନକଲ ଆଇନ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଆଇନ ବିଭାଗ ଉପସଚିବ ଏ କେ ମାଝି ଗତ ୨ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କୁ ଚିଠି କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।
ଦେବୋତ୍ତର ବିଭାଗ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ୟୁସି ଦାଖଲ କରୁନଥିବା ନେଇ ଏଜିଙ୍କ ରିପୋର୍ଟ ପରେ ଗତ ୨୯ ତାରିଖରେ ଆଇନ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଜି ରିପୋର୍ଟ ଦେଇଥିଲେ ଯେ ଦେବୋତ୍ତର ବିଭାଗ ୨୦୨୧ ଅଗଷ୍ଟ ସୁଦ୍ଧା ୨୫ କୋଟି ୬୩ ଲକ୍ଷ ୭୮ହଜାର ଟଙ୍କାର ୟୁସି ଦାଖଲ କରିନାହିଁ। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ୧୪୨ କୋଟି ୮୧ଲକ୍ଷ ୫୫ହଜାର୯୫୫ ଟଙ୍କାର ୟୁସି ଦାଖଲ କରିନି। ଏବେ ନୁହେଁ, ବର୍ଷ ବର୍ଷ ଧରି ଏହି ୟୁସି ବାକି ପଡ଼ିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ଅତିରିକ୍ତ ସଚିବ। ଶେଷରେ ଅଧିକାରୀମାନେ କହିଥିଲେ ଯେ ଏହି ଟଙ୍କାର ୮୦ ପ୍ରତିଶତ ୟୁସି ସରକାରଙ୍କ ନିକଟରେ ଦାଖଲ ସରିଛି। ଏପରିକି ୟୁସି ଦାଖଲର ଏକ ତାଲିକା ବି ସରକାରଙ୍କୁ ପଠାଯାଇଛି। ଏହି ଟଙ୍କାର କିଛି ୟୁସି ସରକାରଙ୍କ ପାଖରେ ରହିଛି। କିନ୍ତୁ ୨୦୦୨-୦୩ ଆର୍ଥିକ ବର୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ଭିତରେ ସରକାରଙ୍କ ନିକଟରେ ଦାଖଲ ୟୁସିର କୌଣସି ସନ୍ଧାନ ମିଳୁନି। ଏପରିକି ହଜିଯାଇଥିବା ଏହି ୟୁସିର ନକଲ ସେମାନଙ୍କ ପାଖରେ ରହିଛି ଓ ଚାହିଁଲେ, ସେମାନେ ଏହାକୁ ପ୍ରଦାନ କରିପାରିବେ ବୋଲି ଅଧିକାରୀମାନେ ଦର୍ଶାଇଥିଲେ। ଏଣୁ ଶ୍ରୀ ଜେନା ଆଇନ ବିଭାଗକୁ ସପ୍ତାହେ ଭିତରେ ହଜିଯାଇଥିବା ଓ ପ୍ରଦାନ କରାଯାଇନଥିବା ୟୁସିର ତିନିଟି ନକଲ ସପ୍ତାହେ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ବିଭାଗକୁ ବି ସମାନ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଯେଉଁ ଧାର୍ମିକ ଅନୁଷ୍ଠାନ ୟୁସି ଦାଖଲରେ ଅବହେଳା କରୁଛନ୍ତି, ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ସହ ଓପିଡିଆର ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୟୁସି ଦାଖଲ ନ କରିଥିବା ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।