ବୌଦ୍ଧ/ମନମୁଣ୍ଡା : ସ୍ବାମୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଗୁଡ଼ଭେଲିପଦର ଗାଁର ପୂର୍ଣ୍ଣିମା ଓ ତାଙ୍କ ଚାରି ଛୋଟ ଛୋଟ ଝିଅ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେକୁ ବାଦ୍ ଦେଲେ ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଟଙ୍କା ନାହିଁ। ଏଭଳି ଦୁର୍ଦ୍ଦଶାରେ ପଡ଼ି ନିଜ ଜନ୍ମ କଲା ଝିଅକୁ ବିକିଦେବାକୁ ନିଷ୍ପତ୍ତି ନେଇଥିଲେ ମହିଳା ଜଣକ। ଏନେଇ ରବିବାର ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ପୂର୍ଣ୍ଣିମାଙ୍କ ଦ୍ବାରରେ ପହଞ୍ଚିଛି ବୌଦ୍ଧ ଜିଲ୍ଲା ପ୍ରଶାସନ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ନିର୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତା ବସନ୍ତ ଦିଶିରି ଓ ଧନଞ୍ଜୟ ଖମାରୀ ଗୁଡ଼ଭେଲିପଦର ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପୂର୍ଣ୍ଣିମା ତାଙ୍କ ବଡ଼ଝିଅଙ୍କୁ ବିକ୍ରି କରି ସେହି ଟଙ୍କାରେ ସ୍ବାମୀ ଭଜମନ ଗେଜଙ୍କ ଶୁଦ୍ଧିକ୍ରିୟା କରିବା ସହ ପୂର୍ବରୁ ଚିକିତ୍ସା ପାଇଁ ଆଣିଥିବା ହାତ ଉଧାରି ଶୁଝିବାକୁ ଚାହୁଁଥିବା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀଙ୍କଠାରେ ପ୍ରକାଶ କରିଥିଲେ। କର୍ମଚାରୀମାନେ ତାଙ୍କୁ ବୁଝାସୁଝା କରି ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହ ଝିଅ ବିକ୍ରିରୁ ନିବୃତ୍ତ ରହିବାକୁ ପୂର୍ଣ୍ଣିମାଙ୍କୁ ପରାମର୍ଶ ଦେଇଥିଲେ। ତେବେ ସରକାରୀ ସହାୟତା ମିଳିଲେ ଝିଅ ବିକିବେ ନାହିଁ ବୋଲି ପୂର୍ଣ୍ଣିମା ମାନି ନେଇଛନ୍ତି। ତାଙ୍କ ବଡ଼ଝିଅ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କୁ ମାସକୁ ୨୦୦୦ ହଜାର ଟଙ୍କା ପାଠପଢ଼ା ଖର୍ଚ୍ଚ ଦେବା ସହିତ ରେଡକ୍ରସ ପାଣ୍ଠିରୁ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଆବାସ ଗୃହର ଶେଷ ବିଲ୍, ହରିଶ୍ଚନ୍ଦ୍ର ଯୋଜନା ସହାୟତା, ଶ୍ରମିକ ମଜୁରି ଓ ହଡ଼ପ ହୋଇଥିବା ପାଇଖାନା ବିଲ୍ ବାବଦକୁ ୫୮ହଜାର ଟଙ୍କା ଜିଲ୍ଲାପାଳଙ୍କୁ କହି ମଞ୍ଜୁର କରିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାଯାଇଛି।
ଅପରପକ୍ଷେ ରବିବାର ଖବର ପ୍ରସାରଣ ପରେ ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଏହି ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇବା ଆରମ୍ଭ କରିଛନ୍ତି। କିସ୍ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତା ସୁରେଶ ସାହୁ ଓ ମଧୁସୂଦନ ସାହୁ ଭଜମନଙ୍କ ଶୁଦ୍ଧିକ୍ରିୟା ପାଇଁ ପୂର୍ଣ୍ଣିମାଙ୍କୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ଝିଅମାନଙ୍କୁ କିସ୍ ଶିକ୍ଷାନୁଷ୍ଠାନରେ ମାଗଣାରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାର ବିଶିଷ୍ଟ ସ୍ବେଚ୍ଛାସେବୀ ତଥା ଶ୍ରମିକ ନେତା ଲଲିତ ନାୟକ ଗୁଡ଼ଭେଲିପଦର ପହଞ୍ଚି ଦୁଇ କ୍ବିଣ୍ଟାଲ ଚାଉଳ ଓ ହଜାରେ ଟଙ୍କା ଏବଂ ସୋନପୁର ମନମୁଣ୍ଡାର ସ୍ବଚ୍ଛଭାରତ ଅଭିଯାନ ଶାଖା ପକ୍ଷରୁ ୫ଶହ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଅପରପକ୍ଷେ କଟକ, ଯାଜପୁର, ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ବଦାନ୍ୟ ବ୍ୟକ୍ତିମାନେ ପୂର୍ଣ୍ଣିମା ଓ ତାଙ୍କ ଚାରି ଝିଅଙ୍କୁ ସହଯୋଗ କରିବା ପାଇଁ ଯୋଗାଯୋଗ କରୁଥିବା ଜଣାଯାଇଛି।