ମାଲକାନଗିରି: ଲୋକଙ୍କୁ ପରିଚୟପତ୍ର ସହ ରାସନ ଦେଉଛି ଆନ୍ଧ୍ର। ପାଣି, ଶିକ୍ଷା ସହ ସ୍ବାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେଉଛି। ଓଡ଼ିଆ ଭାଷା ଆଦୌ ଜାଣିନାହାନ୍ତି ଗ୍ରାମବାସୀ। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମଡ଼ାଙ୍ଗ ଗାଁରେ ଏମିତି ବାସ୍ତବ ସ୍ଥିତି ଦେଖିଛନ୍ତି ପ୍ରାଶାସନିକ ଅଧିକାରୀ। ଓଡ଼ିଶାର ମାନଚିତ୍ରରେ ରହିଥିବା ଏହି ଗାଁର ଲୋକଙ୍କୁ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ତଥା ସହଯୋଗ ମିଳୁଥିବା ବି ପରୋକ୍ଷରେ ସ୍ବୀକାର କରିଛନ୍ତି।

Advertisment

ଜୁମଡ଼ାଙ୍ଗ ଗାଁରେ ଆନ୍ଧ୍ରର ପତିଆରା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଖବରରେ ଗାଁ ବିଷୟରେ ଯାହା ପ୍ରକାଶ ପାଇଥିଲା ତାହା ନିଜ ଆଖିରେ ଦେଖିଥିଲେ ପ୍ରାଶାସନିକ ଅଧିକାରୀ। ବସବାସ କରୁଥିବା ୩୩ ପରିବାରକୁ ଆନ୍ଧ୍ର ଆଧାରକାର୍ଡ ଯୋଗାଇ ଦେଇଛି। ଆନ୍ଧ୍ରର ଭୋଟର ସହ ରାସନକାର୍ଡ ଲୋକଙ୍କ ପାଖରେ ରହିଛି। ଏପରିକି ପାଣି ସହ ଶିକ୍ଷା ଆଦି ଆନ୍ଧ୍ର ଯୋଗାଇ ଦେଉଛି। ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ତ କାର୍ଡ ଦେଖିଥିଲେ। ଲୋକଙ୍କୁ ମିଳିଥିବା ଆଧାରକାର୍ଡ ଅନୁସା‌ରେ ଏହି ଗାଁ ଆନ୍ଧ୍ର ଅଧୀନରେ ରହିଛି। ଗାଁର ନାଁ ଜିମଡାଙ୍ଗ ବୋଲି ଉଲ୍ଲେଖ କରାଯାଇଛି। ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ଗରଡାଙ୍କ କହିବା ଅନୁଯାୟୀ ଜୁମଡାଙ୍ଗ ଗାଁ ଓଡ଼ିଶାର ଧୂଳିପୁଟ ପଞ୍ଚାୟତରେ ରହିଛି। ସୀମାରେ ପଥର ରଖାଯାଇଛି। ଯାହା ସଂପୂର୍ଣ୍ଣ ଭାବେ ଆନ୍ଧ୍ର ଏବଂ ଓଡ଼ିଶାକୁ ଦୁଇ ଭାଗ କରୁଛି। ଆଗାମୀ ଦିନରେ ଆଧାର ଟିମ୍‌ ଗାଁରେ ପହଞ୍ଚି ସମସ୍ତ କାର୍ଡକୁ ସଂଶୋଧନ କରିବ। ତୁରନ୍ତ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟ ଖୋଲିବାକୁ ଯୋଜନା ହୋଇଛି। ପ୍ରଶାସନର ପରୋକ୍ଷ ସ୍ବୀକାରୋକ୍ତି ଅନୁସାରେ ଆନ୍ଧ୍ରର ଭଲ ପ୍ରଭାବ ଏହି ଗାଁରେ ରହିଛି। କିନ୍ତୁ ଯୁକ୍ତି ବାଢ଼ିଲା ବେଳେ ଓଡ଼ିଶାର ବୋଲି କହୁଛନ୍ତି। ଏତେ ବର୍ଷ ଧରି ଲୋକଙ୍କୁ କାହିଁକି ମୌଳିକ ସୁବିଧାରୁ ବଞ୍ଚିତ କରାଗଲା ଏହାର ଉତ୍ତର କାହା ନିକଟରେ ନାହିଁ। ଗାଁର ଭୌଗୋଳିକ ସ୍ଥିତି ହିଁ ଆନ୍ଧ୍ରକୁ ସୁହାଉଛି। କାରଣ ଚିତ୍ରକୋଣ୍ଡା ବ୍ଲକ ମହକୁମା ଠାରୁ ୬୦କିମି ଦୂରରେ ଗାଁ ରହିଛି। ମାତ୍ର ୫କିମି ଅତିକ୍ରମ କରି ଆନ୍ଧ୍ରକୁ ଗଲେ ଗ୍ରାମବାସୀ ସମସ୍ତ ସୁବିଧା ପାଉଛନ୍ତି। ସମସ୍ତ ପରିବାର କନ୍ଧ ସଂପ୍ରଦାୟର ହୋଇଥିଲା ବେଳେ ଓଡ଼ିଶା ଭାଷାର ଅସ୍ତିତ୍ବ ନାହିଁ। କନ୍ଧ ଏବଂ ତେଲୁଗୁ ଭାଷାରେ ଲୋକ କଥାବର୍ତ୍ତା କରୁଛନ୍ତି।