ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ: ୬୩ ବନ୍ୟାପ୍ରବଣ ଗାଁ ଉପରେ ନଜର

ଆଶ୍ରୟସ୍ଥଳଗୁଡ଼ିକର ସ୍ଥିତି ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବାଲେଶ୍ବର: ବ‌େଙ୍ଗାପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ତତ୍ପରତା ଜୋର୍‌ଦାର କରାଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବାଲେଶ୍ବର ସଦର, ରେମୁଣା, ବାହାନଗା, ବାଲିଆପାଳ ଓ ଭୋଗରାଇ ବ୍ଲକର ୬୩ଟି ଗାଁ ବାତ୍ୟା ଓ ବନ୍ୟାପ୍ରବଣ ହୋଇଥିବାରୁ ଏହି ଅଞ୍ଚଳରେ ଥିବା ୧୪୦ଟି ବହୁମୁଖୀ ଆଶ୍ରୟସ୍ଥଳ ଓ ବିଦ୍ୟାଳୟଗୁଡ଼ିକରେ ଲୋକଙ୍କୁ ରଖାଯିବା ଲାଗି ଆଗୁଆ ପ୍ରସ୍ତୁତ ରଖିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜରୁରୀ ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ‌ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଗାଁଗୁଡ଼ିକରେ ୧ ଲକ୍ଷ ୫୦ ହଜାରରୁ ଅଧିକ ଜନସଂଖ୍ୟା ରହିଥିବା ବେଳେ ପରିସ୍ଥିତିକୁ ଦେଖି ସେମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନା ଥାଉକି, ଏନେଇ ଆଜି ପୂର୍ବାହ୍ନରେ ଏସ୍‌ଆରସିଙ୍କ ସହ ବାଲେଶ୍ବର ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ପୂର୍ବ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଏସଆରସିଙ୍କ ଏସଓପି ମୁତାବକ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କିଭଳି ପୂର୍ବ ପ୍ରସ୍ତୁତି ରହିଛି ସେନେଇ ସମୀକ୍ଷା କରିବା ସହ ସଜାଗ ରହିବା ପାଇଁ ଜିଲ୍ଲା ପ୍ରଶାସନକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବହୁମୁଖୀ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା, ସେଥିରେ ଥିବା ସରଞ୍ଜାମକୁ ପ୍ରସ୍ତୁତ ରଖିବା, ଆବଶ୍ୟକୀୟ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଲୋକମାନେ ଯେପରି ଭୟଭୀତ ନ ହେବେ ସେଥିପାଇଁ ସଚେତନ କରାଇବାକୁ ଏସଆରସି ପରାମର୍ଶ ଦେଇଥିବା ଜଣାଯାଇଛି। ‌ତେବେ ଗତ ମେ ମାସରେ ହୋଇଥିବା ୟାସ୍‌ ବାତ୍ୟାରେ ଜିଲ୍ଲାରେ ୨୮ଟି ଲୁଣାବନ୍ଧ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୯୦ ପ୍ରତିଶତ ମରାମତି କାମ ଶେଷ ହୋଇଥିବା ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅପରାହ୍‌ଣରେ ଜିଲ୍ଲା ଓସ୍ବାନ୍‌ ହଲ୍‌ରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ସମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ମୁତାବକ ପ୍ରସ୍ତୁତ ରହିବା ସହ ଏନ୍‌ଡିଆରଏଫ, ଓଡ୍ରାଫ ଟିମଗୁଡ଼ିକ ଅଗ୍ନିଶମ ବିଭାଗ ସହ ସମନ୍ବୟ ରକ୍ଷା କରି ବାତ୍ୟା ମୁକାବିଲା ପାଇଁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ବିଭିନ୍ନ ଅଞ୍ଚଳକୁ ଅତ୍ୟାବଶ୍ୟକୀୟ ଔଷଧପତ୍ର ଯୋଗାଇଦେବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟୁତ୍‌ ବିଭାଗ, ଟେଲିଫୋନ୍‌ ବିଭାଗ, ଜଳସେଚନ ବିଭାଗ, ଡ୍ରେନେଜ୍‌ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ କୃଷି ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସମେତ ଗ୍ରାମା˚ଚଳରେ ବିଡିଓ ଓ ତହସିଲଦାରମାନଙ୍କୁ ସେମାନଙ୍କ ଅଞ୍ଚଳର ଜନପ୍ରତିନିଧିମାନଙ୍କ ସହାୟତାରେ ବାତ୍ୟା ମୁକାବିଲା ପାଇଁ ଆଲୋଚନା କରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର