ଆସନ୍ନପ୍ରସବାଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇଲା ପ୍ରଶାସନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍‌ ନିୟମଗିରି ପାହାଡ଼ ପାଦ ଦେଶରେ ଥିବା ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁର ଜଣେ ଆସନ୍ନପ୍ରସବା କୁଟିଆ କନ୍ଧ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇ ଦେଇଛି ପ୍ରଶାସନ। ଏଥିପାଇଁ ଲାଞ୍ଜିଗଡ଼ସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପ୍ରକାଶ ଯେ ଟେଲି ଯୋଗାଯୋଗରୁ ବଞ୍ଚିତ ଫୁଲଡୁମେର ଗାଁର ମମତା ମାଝୀ ନାମ୍ନୀ ଜଣେ ମହିଳା ଗର୍ଭ ବେଦନା ପାଉଥିବା ସଂପର୍କରେ ଖବର ପାଇ ଶ୍ରୀ ପ୍ରଧାନ ମଙ୍ଗଳବାର ରାତିରେ ନିଜ ଗାଡ଼ିରେ ଫୁଲଡୁମେରକୁ ଯାଇଥିଲେ। ମମତାଙ୍କୁ ଆଣି ଲାଞ୍ଜିଗଡ଼ ସିଏଚ୍‌ସିରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ପରେ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି।

ଫୁଲଡୁମେର ଗାଁର ପ୍ରଥମ ଆନୁଷ୍ଠାନିକ ନବଜାତ ଭାବେ ତାକୁ ଟିକାକରଣ କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ରାସ୍ତାଘାଟ ସମସ୍ୟା ସହିତ ଟେଲି ଯୋଗାଯୋଗର କୌଣସି ସୁବିଧା ନଥିବାରୁ ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳବାସୀ ଅନେକ ଦୁର୍ଦ୍ଦିନରେ କାଳ କାଟୁଥିବା ବେଳେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର ଓ ପ୍ରଶାସନର ଲଗାତାର ଉଦ୍ୟମ ପରେ ଏହି ଜନଜାତି ଶ୍ରେଣୀର ଲୋକେ ସରକାରୀ ସେବା ଓ ସୁବିଧା ସଂପର୍କରେ ବୁଝିବା ଆରମ୍ଭ କରିଛନ୍ତି। ଫଳରେ ମମତାଙ୍କ ଆନୁଷ୍ଠାନିକ ପ୍ରସବ ସମ୍ଭବ ହୋଇପାରିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର