ସରକାରୀ କାର୍ଡରେ ମହାଜନଗିରି : ଗରିବୀ ପାଇଁ ବନ୍ଧା ପଡ଼ିଥିଲା; ଫେରାଇଲା ପ୍ରଶାସନ

ନବରଙ୍ଗପୁର/ମଇଦଲପୁର/ପାପଡାହାଣ୍ଡି : ଭୋକର ଜ୍ବାଳା ସହିନପାରୀ ଜଣେ ହିତାଧିକାରୀ ନିଜର ଭତ୍ତା ଓ ରାସନକାର୍ଡ ବନ୍ଧା ପକାଇ ଦେଇଥିଲେ। ଘରଘର ବୁଲି ଭିକ ମାଗି ଚଳୁଥିଲେ। ପ୍ରଶାସନ ଏହା ଜାଣିବା ପରେ କାର୍ଡ ଉଦ୍ଧାର କରି ସମ୍ପୃକ୍ତ ମହିଳା ହିତାଧିକାରୀଙ୍କୁ ଫେରାଇଥିବା ଜଣାପଡ଼ିଛି।

ଏହି ହିତାଧିକାରୀ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ଗାଁର କୁନ୍ଦରୀ ହରିଜନ (୬୫)। କୁନ୍ଦରୀଙ୍କ ପରିବାର କହିଲେ ପୁଅ ଜେଟୁ ହରିଜନ (୨୫) ଓ ବୋହୂ। ସ୍ବାମୀ ବିରସିଂ ହରିଜନ ପ୍ରାୟ ୧୫ ବର୍ଷ ତଳେ ଆରପାରିକୁ ଚାଲିଗଲେ। ବହୁ କଷ୍ଟରରେ ପୁଅକୁ ସେ ବଡ଼ କରିଥିଲେ। ଅନାବାଦି ଜମିରେ ଝାଟିମାଟି ଘରେ ଖଣ୍ଡିଏ କରି ୩ ପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ଷକ ତଳେ ଅଗ୍ନିକାଣ୍ଡରେ ସେହି ଘରଟି ବି ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ଘର କରିବାକୁ ନିଜର ଜମି ନଥିବା ପ୍ରଶାସନ ପକ୍ଷରୁ ସେହି ସମୟରେ ପକ୍କା ଘର ମିଳିପାର ନଥିଲା। ରାଜସ୍ବ ବିଭାଗ ପକ୍ଷରୁ କେବଳ ପଲିଥିନ ଖଣ୍ଡିଏ ମିଳିଥିଲା। ପୁଅ ମୂଲ ଲାଗିଲେ ଯାହା ମିଳେ ସେଥିରେ ଚଳିବା କଷ୍ଟକର। ତେଣୁ ଦିନେ ଦିନେ କୁନ୍ଦରୀ ଭିକ ମାଗିବାକୁ ଯାଇଥା’ନ୍ତି।

୨ ବର୍ଷ ତଳେ ହଠାତ୍ ଟଙ୍କାର ଆବଶ୍ୟକତା ପଡ଼ିଲା। ଏଭଳି ସ୍ଥିତିରେ ସେ ଆଖପାଖ ଅଞ୍ଚଳରେ ରହୁଥିବା ପରିଚିତଙ୍କୁ ଧାର ମାଗିଥିଲେ ବି କେହି ଟଙ୍କା ଦେଇ ନଥିଲେ। ବାଧ୍ୟ ହୋଇ ତାଙ୍କୁ ମିଳିଥିବା ବାର୍ଧକ୍ୟ ଭତ୍ତା କାର୍ଡକୁ ମାତ୍ର ୩ ହଜାର ଟଙ୍କା ପାଇଁ ବନ୍ଧକ ରଖିଥିଲେ। ପ୍ରତି ମାସରେ ଭତ୍ତା ମିଳୁଥିବା ଦିନ ଯାଇ ଟିପ୍ ଚିହ୍ନ ମାରି ଚାଲି ଆସନ୍ତି। ଟଙ୍କା ଦେଇ କାର୍ଡ ବନ୍ଧକ ରଖିଥିବା ବ୍ୟକ୍ତି ଭତ୍ତା ଟଙ୍କା ନେଇ ଯାଉଥିଲେ। ୩ ହଜାର ଟଙ୍କା ସେ କରଜ କରିଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ଉକ୍ତ ବ୍ୟକ୍ତି ଜଣକ ୬ହଜାର ଟଙ୍କାରୁ ଅଧିକ ଟଙ୍କା ନେଇ ସାରିଲେଣି। ସେହିପରି ଦୁଇ ମାସ ତଳେ ପୁଣି ଟଙ୍କାର ଆବଶ୍ୟକ ପଡ଼ିଥିଲା। ଏଥର ପାଖରେ ଆଉ କିଛି ବନଥିବାରୁ ବାଧ୍ୟ ହୋଇ ରାସନ କାର୍ଡକୁ ୨୬ଶହ ଟଙ୍କାରେ ବନ୍ଧକ ରଖିଲେ। ଅନୁରୂପ ଭାବେ ଚାଉଳ ମିଳିବା ଦିନ ଟିପ୍ ଚିହ୍ନ ହିଁ ସେ ମାରି ଆସିଥିଲେ। ତାଙ୍କ ଚାଉଳ କିଏ ନେଲା ସେ କିଛି ଜାଣି ନଥିଲେ।

ଭତ୍ତା ଓ ଚାଉଳ ବନ୍ଦ ହେବାପରେ କୁନ୍ଦରୀ ଭିକ ମାଗୁଥିଲେ ଏବଂ ପୁଅ ମୂଳ ଲାଗିଲେ ଘର ଚଳୁଥିଲା। ଦୟନୀୟ ଅବସ୍ଥାରେ ରହିଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ଗୁହାରୀ କହିଥିଲେ। ଅନ୍ୟପଟେ ରାସନ କାର୍ଡ ଓ ଭତ୍ତା କାର୍ଡ ବନ୍ଧା ପଡିଥିବା ନେଇ ଜିଲ୍ଲାପାଳଙ୍କ ନିକଟକୁ ସୂଚନା ଆସିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ପାପଡାହାଣ୍ଡି ବିଡିଓଙ୍କୁ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଥିଲା।

ଆଜି ପାପଡାହାଣ୍ଡି ବିଡିଓ ରଂଜିତା ମଲ୍ଲିକ, ମଇଦଲପୁର ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ବାଘ, କନିଷ୍ଠ ଯନ୍ତ୍ରୀ ଦୀପକ ମିଶ୍ର ମଇଦଲପୁର ଯାଇଥିଲେ। ଘରେ ପହଞ୍ଚିବା ବେଳକୁ କେବଳ ବୋହୂ ଏକୁଟିଆ ଘରେ ଥିଲା। କୁନ୍ଦରୀ ଭିକ ମାଗି ଚାଉଳ ସଂଗ୍ରହ କରିବାକୁ ଯାଇଥିଲେ ଏବଂ ପୁଅ କାଠ ଆଣିବାକୁ ଯାଇଥିଲା। ଏଭଳି ହୃଦୟ ବିଦାରକ ଦୃଶ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଥରାଇ ଦେଇଥିଲା। ପଚରାଉଚୁରା ପରେ ରାସନ ଏବଂ ଭତ୍ତା କାର୍ଡ଼କୁ ଉଦ୍ଧାର କରି ଉକ୍ତ ପରିବାରକୁ ହସ୍ତାନ୍ତର କରିଥିଲେ। ବିଡିଓ ରଂଜିତା ମଲ୍ଲିକ ଏ ସଂକ୍ରାନ୍ତରେ ସେ କହିଛନ୍ତି ଯେ କୁନ୍ଦରୀଙ୍କୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରିବାକୁ ସେ ଜିଲ୍ଲାପାଳଙ୍କୁ ସୁପାରିଶ କରିବେ।

ସମ୍ବନ୍ଧିତ ଖବର