କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରରେ ଥିବା ଲିଲୁରାମ ରାଇସ ମିଲ୍ରେ ତାଲା ଠୁଙ୍କି ସିଲ୍ କରିଛି ପ୍ରଶାସନ।
କଂଟାବାଞ୍ଜିରୁ ଗୁଡ଼ିଘାଟ ରାସ୍ତାରେ ଥିବା ଡଙ୍ଗାମରା ଗାଁ ଛକରେ ଲିଲୁରାମ ରାଇସ୍ ମିଲ ଅଛି। କଂଟାବାଞ୍ଜି ପୁଲିସ ସକାଳ ୧୦ଟାରୁ ଏହି ମିଲ ଉପରେ ନଜର ରଖିଥିଲା। ଦିନ ପ୍ରାୟ ୧୧ଟାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ତୁରେକେଲା ଯୋଗାଣ ଅଧିକାରୀ ପ୍ରଭାତ ଦାସ ପହଞ୍ଚି ମିଲରେ ଥିବା ଗୋଦାମ ଉପରେ ଚଢ଼ଉ କରିବା ସହ କେତେ କ୍ୱିଂଟାଲ ଧାନ ଅଛି ଏବଂ କଣ ସବୁ ମିଲ୍ ଭିତରେ ଚାଲିଛି ଯାଞ୍ଚ କରିଥିଲେ। ଏହି ରାଇସ୍ ମିଲ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରୁ ପ୍ରାୟ ୫ରୁ ୯ ପ୍ରତିଶତ କାଟି ଧାନ କ୍ରୟ କରୁଥିବା ଅଭିଯୋଗ ହୋଇଥିଲା। ପରେ ତୁରେକେଲା ଅଂଚଳରୁ ବିଭିନ୍ନ ପେକ୍ସରୁ ଆସୁଥିବା ଧାନକୁ ମଧ୍ୟ ନିଜ ମିଲରେ ରଖି ଏମଏସପି ଦରରେ ଟଙ୍କା ଦେଉନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏନେଇ ଅଭିଯୋଗ ପରେ ଏହି ଚଢ଼ଉ ହେଉଥିବା ଜଣାଯାଇଛି। ଏହି ରାଇସ ମିଲରେ ମୋଟ ୨ଟି ବଡ଼ ଗୋଦାମ ଏବଂ ୬ଟି ଛୋଟ ଗୋଦାମକୁ ସିଲ୍ କରାଯାଇଛି। ଏନେଇ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟଙ୍କୁ ପଚାରିବାରୁ ନିୟମିତ କେତେ ଧାନ ସଂଗ୍ରହ ହେଉଛି ଏବଂ କଣ ସବୁ ଷ୍ଟକ ଅଛି ତାର ତଦାରଖ କରାଯାଇଛି ଏବଂ ଦିନେ ଦୁଇ ଦିନ ପରେ ସବୁ ଜଣାପଡ଼ିବ ବୋଲି କହିଛନ୍ତି।
ମୁଖ୍ୟ ଗେଟ ସିଲ୍, ଛୋଟ ଗେଟ ଖୋଲା
ଗୁରୁବାର ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଲିଲୁରାମ ରାଇସ୍ ମିଲ୍କୁ ସିଲ୍ କରାଯାଇଥିଲା। ମିଲର ମୁଖ୍ୟ ଗେଟ୍କୁ ତାଲା ପକାଇ ସିଲ୍ କରାଯାଇଛି। ହେଲେ ଏହା ସହ ଲାଗି ରହିଥିବା ଛୋଟ ଗେଟକୁ ଖୋଲା ରଖାଯାଇଥିବା ଲକ୍ଷ୍ୟ କରାଯାଇଛି। ମିଲ ମାଲିକ ମିଲ ଭିତରକୁ କାହାରିକୁ ଛାଡୁ ନାହାନ୍ତି। ଏପରିକି ସାମ୍ବାଦିକମାନଙ୍କୁ ମଧ୍ୟ ମିଲ ଭିତରକୁ ଯିବା ପାଇଁ ବାରଣ କରାଯାଇଥିଲା।