ପ୍ରାଶାସନିକ ଅବହେଳା: ବନ୍ଦହେବ  ୪୯ ବର୍ଷର ମିଲ୍‌ମାନ ଉଚ୍ଚବିଦ୍ୟାଳୟ! 

ଘୁ.ଉଦୟଗିରି :  ଘୁ.ଉଦୟଗିରି ଏନ୍‌ଏସିର ୧୨ନଂ ୱାର୍ଡ଼ରେ  ରହିଛି ମିଲମାନ ଉଚ୍ଚବିଦ୍ୟାଳୟ।  ଇଂଲଣ୍ଡର ଜଣେ ମିସନାରୀ ଶିକ୍ଷାବିତ୍ ଓ ସ୍ୱେଚ୍ଛାସେବୀ ଓ.ଜେ.ମିଲମାନଙ୍କ ଉଦ୍ୟମରେ ୧୯୭୫ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରକୁ ଚାଲିଯାଇଛି। ବହୁବର୍ଷ ଧରି ଚାଲିଥିବା ଏହି ସ୍କୁଲ ଏବେ ବନ୍ଦ ହୋଇଯିବା ପରିସ୍ଥିତି ସୃଷ୍ଟି ହୋଇଛି। ସ୍କୁଲ ବନ୍ଦ ପରେ ସ୍ଥାନୀୟ ଲଘୁସମ୍ପ୍ରଦାୟ ଛାତ୍ରଛାତ୍ରୀ କେଉଁଠି ପଢ଼ିବେ ବୋଲି ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ସ୍କୁଲ କମିଟି କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସ୍କୁଲ ପରିଚାଳନା କମିଟି ଧାରା ୨୮ ପାଳନ କରୁନଥିବା କାରଣରୁ କମିଟି ସରକାରୀ ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁନାହିଁ। ତେଣୁ ପ୍ରଶାସନ ତରଫରୁ କୌଣସି ଶିକ୍ଷକ ନିଯୁକ୍ତି ହୋଇପାରୁନାହାନ୍ତି। ସରକାରଙ୍କ ନୀତିନିୟମ ଓ ସଂଖ୍ୟାଲଘୁ କମିଟି ମଧ୍ୟରେ ସମନ୍ୱୟ ଅଭାବରୁ ନିକଟ ଭବିଷ୍ୟତରେ ପୁରାତନ ମିଲମାନ ଉଚ୍ଚବିଦ୍ୟାଳୟ  ଅନୁଷ୍ଠାନଟି ବନ୍ଦ ହୋଇଯିବା ଆଶଙ୍କା କରି ସ୍ଥାନୀୟ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟର କଟକ ଡାଇସିସ୍‌ ମିନିଷ୍ଟ୍ରି (ସିଏନ୍‌ଆଇ) ନାମକ ସଂସ୍ଥା ୧୯୭୫ ଜୁଲାଇ ୨୫ରେ ଏକ କମିଟି କରି ସ୍କୁଲର ପରିଚାଳନା ନିମନ୍ତେ ମନସ୍ଥ କରିଥିଲେ। ସ୍କୁଲର ପ୍ରଥମ ପ୍ରଧାନଶିକ୍ଷକ ଭାବେ ସ୍ବର୍ଗତ ବେଞ୍ଜାମିନ ନାୟକ ନିଯୁକ୍ତ ହୋଇଥିଲେ। ବିଷୟବସ୍ତୁ ଅନୁସାରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିଲେ।  ପ୍ରତି ଶିକ୍ଷାବର୍ଷରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପିଲା ସ୍କୁଲରେ ପାଠ ପଢୁଥିଲେ।  ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ଦେଖି କିଛିବର୍ଷ ପରେ ୧୯୮୩/୮୪ ମସିହା ବେଳକୁ ସ୍କୁଲଟି ଗ୍ରାଣ୍ଟିନେଣ୍ଟ ପାଇଥିଲା। ଏହାରର କିଛି ବର୍ଷ ପରେ ୧୯୯୭ ମସିହାରେ ପୁଣି ଥରେ ସ୍କୁଲର ପରିଚାଳନା ନିମନ୍ତେ କମିଟି ପରିବର୍ତ୍ତନ ହୋଇ ସିଏନ୍‌ଆଇ ଫୁଲବାଣୀ ଡାଇସିସ କମିଟିକୁ ହସ୍ତାନ୍ତର କରାଗଲା।

୨୦୧୧ ମସିହାରେ କୋ-ଏଜୁକେଶନ ମାନ୍ୟତା ପାଇଲା ପରେ ଛାତ୍ରୀମାନେ ମଧ୍ୟ ପାଠ ପଢ଼ିବାର ବ୍ୟବସ୍ଥା ହେଲା। ସ୍ଥାନୀୟ ଅଂଚଳର ବହୁ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ପାଠ ପଢ଼ିବାର ସୁଯୋଗ ପାଇଲେ। ଇତିମଧ୍ୟରେ ୫ ଜଣ ପ୍ରଧାନଶିକ୍ଷକ ଅବସର ନେଇ ସାରିଥିବା ବେଳେ ବର୍ତ୍ତମାନ ସ୍କୁଲଟି ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି।  ସ୍କୁଲରେ ଶିକ୍ଷକ ଅଭାବ କାରଣରୁ ସ୍ଥାନୀୟ ଅଭିଭାବକ ନିଜ ପିଲାଙ୍କ  ନାମ ପଞ୍ଜୀକୃତ ସ୍କୁଲରେ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ ସ୍କୁଲରେ ବର୍ତ୍ତମାନ କେବଳ  ପ୍ରଧାନଶିକ୍ଷକ, ଜଣେ କ୍ରୀଡ଼ାଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ(ଡେପୁଟେସନ) ସମୁଦାୟ ୩ ଜଣ ଶିକ୍ଷକ  ଓ ଜଣେ କିରାଣି ଥିବାବେଳେ ୧୦ମ ଶ୍ରେଣୀରେ ମାତ୍ର ୨୧ ଜଣ ବିଦ୍ୟାର୍ଥୀ ପଢୁଛନ୍ତି।

ଚଳିତବର୍ଷ ୯ମ ଶ୍ରେଣୀ ନିମନ୍ତେ କେହି ମଧ୍ୟ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକୃତ ହୋଇନାହିଁ। ସମୁଦାୟ ୮ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିମନ୍ତେ ବ୍ୟବସ୍ଥା ଥିବା ବେଳେ ୪ ଜଣ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଦୁଃଖ ଓ ପରିତାପର ବିଷୟ ପ୍ରଶାସନକୁ ଏ ବିଷୟରେ ବହୁବାର ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପଟେ ଏହି ବର୍ଷ ଜୁନ ୩୦ ତାରିଖରେ ପ୍ରଧାନଶିକ୍ଷକ ଓ କିରାଣି ଅବସର ନେବେ। ବର୍ତ୍ତମାନ  ୨ ଜଣ ଶିକ୍ଷକଙ୍କୁ ନେଇ କେମିତି ଚାଲିବ , ସେନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର