ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନିକ ପ୍ରସ୍ତୁତି: ସିଂହଦ୍ବାରରେ ଲାଗିଲା ସେଡ୍‌, ଯାଞ୍ଚ କିଓସ୍କ

ରାଜନଅରଠାରୁ ହେଲା ବାରିକେଡିଂ

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି। ପ୍ରଥମ ଦଫାରେ ସେବାୟତ ଓ ସେମାନଙ୍କ ପରିବାରକୁ ଦର୍ଶନ ସୁଯୋଗ ଦିଆଯାଇଛି। ଦୁଇଦିନ ସେବାୟତ ଓ ‌ସେମାନଙ୍କ ପରିବାର ସଦସ୍ୟଙ୍କ ଦର୍ଶନ ପରେ ଅଗଷ୍ଟ ୧୬ରୁ ପୁରୀ ସହରବାସୀ ଓ ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ସିଂହଦ୍ବାର ଚକଡ଼ାରୁ ନନ୍ଦିଘୋଷ ରଥ ଓ ଦେବଦଳନ ରଥ ଖୋଲାଯିବା ପରେ ଧାଡ଼ି ଦର୍ଶନ ପାଇଁ ପୂର୍ବଭଳି ନୂଆ ସେଡ୍‌କୁ ଲଗାଯାଇଛି। ଭକ୍ତଙ୍କ ପ୍ରମାଣପତ୍ର ଯାଞ୍ଚ, ଫଟୋ ଉତ୍ତୋଳନ, ଭକ୍ତଙ୍କ ସଂଖ୍ୟା ଗଣତି ସହ ସାନିଟାଇଜ୍‌ ପାଇଁ କିଓସ୍କ ଲଗାଯାଇଛି। ରାଜନଅରଠାରୁ ବାରିକେଡିଂ କରାଯାଇଛି। ଜୋତା ଷ୍ଟାଣ୍ଡ୍‌ଠାରୁ ବି ଅଲଗା ବାରିକେଡିଂ କରାଯାଉଛି। ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି। ଆଜି ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।

ପୂର୍ବରୁ ସିଂହଦ୍ବାର ଚକଡ଼ାରେ ତିନି ରଥ ଦଣ୍ଡାୟମାନ ଥିଲା। ଏହି ଦୃଷ୍ଟିରୁ ଧାଡ଼ି ଦର୍ଶନ ପାଇଁ ଥିବା ନୂଆ ସେଡ୍‌ ସିଂହଦ୍ବାରରେ ଲାଗିବା ସମ୍ଭବ ହେଉନଥିଲା। ଏ ଭିତରେ ନନ୍ଦିଘୋଷ, ଦେବଦଳନ ରଥ ଭଙ୍ଗା ସରିଥିବାବେଳେ କେବଳ ତାଳଧ୍ବଜ ରଥ ଭଙ୍ଗା ବାକି ରହିଛି। ତଥାପି ମାର୍ଗ ପ୍ରଶସ୍ତ ହୋଇଥିବାରୁ ଆଜି ନୂଆ ସେଡ୍‌ ସ୍ଥାନିତ କରାଯାଇଛି। ବଡ଼ଦାଣ୍ଡରେ ବଡ଼ ବଡ଼ ଲୁହା ପୋଲ୍‌ ନଟ୍‌‌ବୋଲ୍‌ଟ ଦେଇ ଟାଇଟ୍‌ କରାଯାଇଛି। ଆଜି ରାତି ଓ ଆସନ୍ତାକାଲି ସୁଦ୍ଧା ସେଡ୍‌ ଉପରେ ଧଳା ପାଲ ପକାଇବାକୁ ଯୋଜନା କରାଯାଉଛି। ରଥଯାତ୍ରା ପାଇଁ ହଟାଇ ଦିଆଯାଇଥିବ ସୋ’ ଗଛ ସବୁ ପୂର୍ବସ୍ଥାନରେ ‌ରଖି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି। ପୁରୀବାସୀଙ୍କ ଦର୍ଶନ ପାଇଁ ପୌରସଂସ୍ଥା ପକ୍ଷରୁ ଟୋକନ୍‌ ବ୍ୟବସ୍ଥା କରାଯାଇଥିବାବେଳେ ଏହି ଟୋକନ୍‌ ସହ ଆଧାରକାର୍ଡ଼ ଅବା ଅନ୍ୟ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ପୂର୍ବବର୍ଷ ଭଳି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୮ଟି କିଓସ୍କ ବ୍ୟବସ୍ଥା କରାଯାଇଛି। ପ୍ରମାଣପତ୍ର ଯାଞ୍ଚ, ଫଟୋ ଉତ୍ତୋଳନ ସହ ସାନିଟାଇଜ୍‌ ପରେ ସେଡ୍‌ ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ସିଂହଦ୍ବାର ଦେଇ ପ୍ରବେଶ କରିବେ।

ସମ୍ବନ୍ଧିତ ଖବର