ସମ୍ବଲପୁର: ଶିକ୍ଷା କ୍ଷେତ୍ରରେ ଅପହଞ୍ଚ ହୋଇଯାଇଥିବା ଛାତ୍ରଛାତ୍ରୀଙ୍କ ମୁଖ୍ୟ ସ୍ରୋତରେ ଯୋଡ଼ିବା ପାଇଁ ସମ୍ବଲପୁରରେ ‘ଶିକ୍ଷାର ଚାଟଶାଳୀ’ ପକ୍ଷରୁ ଅନେକ ପ୍ରୟାସ କରାଯାଇଛି। ଖାତା ବହି ପ୍ରଦାନ ଠାରୁ ଆରମ୍ଭ କରି ଅଭିଭାବକଙ୍କୁ ସଚେତନ କରାଇବା ଭଳି ଅନେକ ପଦକ୍ଷେପ ‘ଶିକ୍ଷାର ଚାଟଶାଳୀ’ ଗ୍ରହଣ କରି ପ୍ରଶଂସା ସାଉଁଟିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ପ୍ରଶଂସା କରିଛନ୍ତି। ‘ଶିକ୍ଷାର ଚାଟଶାଳୀ’ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ତୁଲାଇଥିବା ଯୁବ ସମାଜସେବୀ ଅବିନାଶ ମିଶ୍ର ଏବଂ ତାଙ୍କ ବନ୍ଧୁ ସୋମନାଥ ବାଗଙ୍କୁ ଭେଟି ସେ ଖୁସି ଜାହିର କରିଛନ୍ତି।
‘ଶିକ୍ଷାର ଚାଟଶାଳୀ’ ପ୍ରତିଷ୍ଠା କରି ସମ୍ବଲପୁର ଜିଲ୍ଲାର ଗରିବ ପିଲା ମାନଙ୍କୁ ମାଗଣାରେ ପାଠ ପଢାଇବା ଏବଂ ଅନ୍ୟ ଶିକ୍ଷିତ ଯୁବସାଥୀମାନଙ୍କୁ ପଢାଇବା ପାଇଁ ପ୍ରୋତ୍ସାହିତ କରିବା ଦିଗରେ ଉଭୟଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି ଖେଳି ଉଭୟଙ୍କ ସହ ଏକ ଫଟୋକୁ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ ମଧ୍ୟ କରିଛନ୍ତି। ସମ୍ବଲପୁର ସର୍କିଟ୍ ହାଉସ୍ ଠାରେ ଉଭୟଙ୍କୁ ଭେଟି ସେ ‘ଶିକ୍ଷାର ଚାଟଶାଳୀ’ ବିଷୟରେ ଆଲୋଚନା କରିଥିଲେ। ତେବେ ମାଗଣାରେ ଶିକ୍ଷାଦାନ କରୁଥିବା ଯୁବସାଥୀମାନଙ୍କ ସହ ଅନ୍ଲାଇନ୍ରେ କଥା ହେବି ବୋଲି କେନ୍ଦ୍ରମନ୍ତ୍ରୀ କହିଥିବା ଅବିନାଶ ସୂଚନା ଦେଇଛନ୍ତି।