ଆୟୁର୍ବେଦ ଓ ହୋମିଓପାଥି ପାଠ୍ୟକ୍ରମରେ ନାମଲେଖା‌ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର : ରାଜ୍ୟର ଥିବା ଆୟୁର୍ବେଦ (ବିଏଏମ୍‌ଏସ୍‌) ଓ ହୋମିଓପାଥି (ବିଏଚ୍‌ଏମ୍‌ଏସ୍‌) କଲେଜଗୁଡିକରେ ନାମଲେଖା ପାଇଁ ଶୁକ୍ରବାରଠାରୁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଆଗ୍ରହୀ ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ, ଚଏସ୍ ଫିଲିଂ ଓ ଲକିଂ କରିପାରିବେ। ୧୬ ତାରିଖରେ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ୧୭ରୁ ୧୯ ତାରିଖ ମଧ୍ୟରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ହେବ। ୨୧ ତାରିଖରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ ପାଇବ। ୨୩ ତାରିଖରେ ନୂତନ ଆଲଟ୍‌ମେଣ୍ଟ ‌ହୋଇଥିବା ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୨୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା କୌଣସି ଛାତ୍ରଛାତ୍ରୀ ଚାହିଁଲେ ପ୍ରକ୍ରିୟାରୁ ଓହରିପାରିବେ। ୨୩ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଆଲଟ୍‌ମେଣ୍ଟ ହୋଇଥିବା କଲେଜରେ ରିପୋର୍ଟିଂ କରିପାରିବେ। ଏହି ପ୍ରକ୍ରିୟା ସରିବା ପରେ ମଧ୍ୟ କୌଣସି ସିଟ୍ ଖାଲି ପଡ଼ିଲେ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ସ୍ପଟ୍ ନାମଲେଖା ହେବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର