ପିଜି ସିଟ୍‌ ପୂରଣ ଲାଗି ପୁଣିଥରେ ନାମଲେଖା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପିଜି(ସ୍ନାତକୋତ୍ତର) ବିଭାଗରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ଲାଗି ପୁଣିଥରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ମେରିଟ୍‌ ତାଲିକା ଅନୁଯାୟୀ ସିପିଇଟି (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ)-୨୦୨୦ରେ ଯୋଗ୍ୟତା ଅର୍ଜନ କରିଥିବା ଏବଂ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ। ମାର୍ଚ୍ଚ ୧୯ ତଥା ଶୁକ୍ରବାର ସୁଦ୍ଧା ବିଶ୍ବବିଦ୍ୟାଳୟ/କଲେଜର ଇ-ସ୍ପେସ୍‌ରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ମେରିଟ୍‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କୁ ଯୋଗ‌ାଯୋଗ କରିବା ସହ ସେମାନଙ୍କ ନାମଲେଖା କରାଇବେ।

ମେରିଟ୍‌ ତାଲିକାରେ ଥିବା ଛାତ୍ରଛାତ୍ରୀ ଯଦି ନାମ ଲେଖାଇବାକୁ ଇଚ୍ଛୁକ ନ ଥିବେ ତେବେ ସେଭଳି ସ୍ଥିତିରେ କଲେଜ/ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓଜେଇଇ ମେରିଟ୍‌ ଲିଷ୍ଟ, ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ତଥା ଜାତୀୟ ସଂସ୍ଥାଗୁଡ଼ିକ ଦ୍ବାରା ପରିଚାଳିତ ସମତୁଲ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ନାମ ଲେଖାଇପାରିବେ। ଏହି ପ୍ରକାର ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଚ୍ଚ ୨୪ରେ ସାମ୍‌ସ ଇ-ସ୍ପେସ୍‌ରେ ସାମିଲ ହେବା ଲାଗି ନୂଆ ଲିଙ୍କ୍‌ ପ୍ରଦାନ କରାଯିବ। ମାର୍ଚ୍ଚ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର