ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା ସରିଲା, ସରକାରୀ କଲେଜର ସମସ୍ତ ସିଟ୍‌ ପୂରଣ

ଘରୋଇ କଲେଜର ୬୨ଟି ସିଟ୍‌ ଖାଲି

ଭୁବ‌ନେଶ୍ବର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଚାଲିଥିବା କାଉନସେଲିଂ ଶେଷ ହୋଇଛି। ୩ଟି ରାଉଣ୍ଡ ଓ ସ୍ପଟ୍‌ ନାମଲେଖାରେ ସମସ୍ତ ସରକାରୀ ମେଡିକାଲର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପୂରଣ ହୋଇଛି। ତେବେ ଭୁବନେଶ୍ବର ଓ ରାଉରକେଲା ହାଇଟେକ୍‌ ମେଡିକା‌ଲ କଲେଜରେ ୬୨ଟି ସିଟ୍‌ ଖାଲି ରହିଛି। ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜର ୨୫୦ ଲେଖାଏଁ ସିଟ୍‌, ଭିଏସ୍‌ଏସ୍‌ ବୁର୍ଲାର ୨୦୦, ବାରିପଦା ମେଡିକାଲ କଲେଜ ଓ କୋରାପୁଟ ମେଡିକାଲ କଲେଜର ୧୨୫ ଲେଖାଏଁ, ବଲାଙ୍ଗୀର ମେଡିକାଲ କଲେଜ ଓ ବାଲେଶ୍ବର ମେଡିକାଲ କଲେଜର ୧୦୦ ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଛି। ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜର ୧୦୦ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟରୁ ଏନ୍‌ଆରଆଇ କୋଟାର ଗୋଟିଏ ଓ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ୧୦୦ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟରୁ ଏନ୍‌ଆରଆଇ କୋଟାର ୫ଟି ସିଟ୍‌ ଖାଲି ରହିଛି। ଏସ୍‌ସିବି ଡେଣ୍ଟାଲ କଲେଜର ସମସ୍ତ ୬୩ଟି ସିଟ୍‌ ପୂରଣ ହୋଇଛି। ତେବେ ହାଇଟେକ୍‌ ଡେଣ୍ଟାଲ କଲେଜ, ଭୁବନେଶ୍ବରର ୧୦୦ ସିଟ୍‌ ମଧ୍ୟରୁ ୫୬ଟି ଖାଲି ରହିଛି। ଯେଉଁଥିରେ ୫ଟି ଏନ୍‌ଆରଆଇ କୋଟାର ଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷାବର୍ଷ ଲାଗି ରାଜ୍ୟର ୧୧ଟି ମେଡିକାଲ କଲେଜର ୧୫୧୩ ସିଟ୍‌ରେ ନାମଲେଖା ହେଉଥିଲା। ସେଥିମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍‌ ପୂରଣ ହେବାକୁ ଥିବା ବେଳେ ୧୫% ସିଟ୍‌ ସର୍ବଭାରତୀୟ କୋଟାରେ ପୂରଣ ହେବା କଥା। ତେବେ ସର୍ବଭାରତୀୟ କୋଟାରେ ନାମଲେଖା ଶେଷ ହେବା ପରେ ୭୯ ସିଟ୍‌ ପୁଣି ରାଜ୍ୟ କୋଟାକୁ ଫେରି ଆସିଥିଲା। ତେଣୁ ସେଥିପାଇଁ ଓଜେଇଇ କାଉନସେଲିଂ କରିଥିଲା।

ସମ୍ବନ୍ଧିତ ଖବର