ପିଜିରେ ଖାଲି ସିଟ ପାଇଁ ହେବ ନାମଲେଖା

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ ପାଇଁ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଆସନ୍ତା ୧୭ତାରିଖରୁ ସ୍ପଟ୍‌ ନାମଲେଖା ଲାଗି ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଆବେଦନ କରିପାରିବେ। ୨୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସାମ୍ସ ୱେବ୍‌ସାଇଟ୍‌କୁ ଯାଇ ନୂତନ ଭାବେ କମନ ଆପ୍ଲିକେସନ୍‌ ଫର୍ମ(ସିଏଏଫ) ଦାଖଲ କରିପାରିବେ। ଅନ୍‌ଲାଇନ୍‌ ସିଏଏଫ୍‌ ଦାଖଲ କରିବା ପରେ ୧୭ରୁ ୨୩ତାରିଖ ମଧ୍ୟରେ ଆବଶ୍ୟକ କାଗଜପତ୍ର ସଂପୃକ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦାଖଲ କରିବେ। ୨୪ତାରିଖ ଅପରାହ୍‌ଣ ୫ଟାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯିବ। ୨୫ ଓ ୨୬ ତାରିଖରେ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ଲଗ୍‌-ଇନ୍‌ କରି ଇଣ୍ଟିମେସନ୍‌ ଲେଟର୍‌ ପାଇ ପାରିବେ। ୨୬ରୁ ୨୯ତାରିଖ ମଧ୍ୟରେ ପିଲାମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ କାଗଜପତ୍ର ଯାଞ୍ଚ ସହ ନାମ ଲେଖାଇବେ। ୩୦ତାରିଖ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ସମ୍ବନ୍ଧୀୟ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଇ-ସ୍ପେସ୍‌ରେ ଦାଖଲ କରିବେ।

ଧାର୍ଯ୍ୟ ସମୟରେ ନାମ ଲେଖାଇ ନଥିବା ଯୋଗୁଁ ଖାଲି ଆସନ ପାଇଁ ଡିସେମ୍ବର ୩ରେ ମେଧା ତାଲିକା ପ୍ରକାଶ ପାଇବ। ଡିସେମ୍ବର ୩ ଅପରାହ୍‌ଣ ୨ଟାରେ ମନୋନୟନ କରାଯାଇ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଲିକା ପ୍ରକାଶ କରାଯିବ। ଡିସେମ୍ବର ୪ରୁ ୬ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀ ଦେୟ ଦାଖଲ କରିପାରିବେ। ୬ ଓ ୭ରେ ପ୍ରାର୍ଥୀଙ୍କର କାଗଜପତ୍ର ଯାଞ୍ଚ କରାଯିବା ସହ ନାମଲେଖା ଅନୁଷ୍ଠିତ ହେବ। ୮ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଦାଖଲ କରିବେ।

ଅନ୍ୟପକ୍ଷରେ ସ୍ପଟ୍‌ ନାମଲେଖା ପାଇଁ ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ପୂର୍ବରୁ ଦୁଇ ପର୍ଯ୍ୟାୟରେ ନାମ ଲେଖାଇଥିବା ଓ ଯୋଗ୍ୟବିବେଚିତ ହୋଇ ନାମ ଲେଖାଇ ପାରି ନଥିବା ଛାତ୍ରଛାତ୍ରୀ ସ୍ପଟ୍‌ ନାମଲେଖା ପାଇଁ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ଦେଇଥିଲେ ମଧ୍ୟ ଦୁଇ ପର୍ଯ୍ୟାୟରେ ସୁଯୋଗ ପାଇ ନଥିବା ଛାତ୍ରଛାତ୍ରୀଙ୍କୁ ସ୍ପଟ୍‌ ନାମଲେଖାରେ ସୁଯୋଗ ମିଳିବ। ପ୍ରବେଶିକା ପରୀକ୍ଷା ଦେଇ ଧାର୍ଯ୍ୟ ସମୟରେ ସ୍ନାତକ ସାର୍ଟିଫିକେଟ୍‌ ଦାଖଲ କରିପାରି ନଥିବା ଓ ପ୍ରବେଶିକା ଦେଇ ନିଜ ପସନ୍ଦ ଦାଖଲ କରି ନ ଥିବା ପ୍ରାର୍ଥୀଙ୍କୁ ତତ୍କାଳ ନାମଲେଖାରେ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର