ଜାତୀୟ ଶିକ୍ଷା ନୀତି-୨୦୨୦ : ଏଣିକି ୩ ବର୍ଷରୁ ନାମ ଲେଖା

ଅଙ୍ଗନବାଡ଼ି/ପ୍ରାକ୍ ବିଦ୍ୟାଳୟକୁ ବ୍ୟବସ୍ଥିତ ଓ ଦୃଢ଼ କରାଯିବ
ମାତୃଭାଷା/ଆଞ୍ଚଳିକ ଭାଷାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯିବ
ସ୍କୁଲ୍‌ ଶିକ୍ଷାର ସବୁ ସ୍ତରରେ ସଂସ୍କୃତ ଭାଷା ବିକଳ୍ପ ଭାବେ ରହିବ
ରାଜ୍ୟରେ ପ୍ରତିଷ୍ଠା ହେବ ଏସ୍‌ଏସ୍‌ଏସ୍‌ଏ

ଭୁବନେଶ୍ବର : ଆଉ ୬ ବର୍ଷ ବୟସରୁ ସ୍କୁଲ୍‌ ଶିକ୍ଷା ଆରମ୍ଭ ହେବ ନାହିଁ। ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିବେ। ୩ରୁ ୬ ବର୍ଷ ପିଲାଙ୍କ ମାନସିକ ବିକାଶ ପାଇଁ ପ୍ରକୃଷ୍ଟ ସମୟ ହୋଇଥିବାରୁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଏହାକୁ ଗୁରୁତ୍ବାରୋପ କରାଯାଇଛି। ଏହା ସହ ମାତୃଭାଷା ବା ଆଞ୍ଚଳିକ ଭା‌ଷାରେ ଅତି କମ୍‌ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯିବାକୁ ଶିକ୍ଷା ନୀତି ଗୁରୁତ୍ବ ଦେଇଛି।

୩ ରୁ ୬ ବର୍ଷ ବୟସର ପିଲାଙ୍କୁ ସ୍କୁଲ୍‌ ଶିକ୍ଷା ପରିସରକୁ ଆଣିବା ପାଇଁ ଶିକ୍ଷାର ଢାଞ୍ଚାକୁ ବଦଳାଯିବ। ଆଉ ୧୦+୨ ଢାଞ୍ଚାରେ ସ୍କୁଲ୍‌ ଶିକ୍ଷା ରହିବ ନାହିଁ। ୧୨ ବର୍ଷର ସ୍କୁଲ୍‌ ଶିକ୍ଷା ଏବଂ ୩ ବର୍ଷର ଅଙ୍ଗନବାଡ଼ି/ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହିତ ୫+୩+୩+୪ ଢାଞ୍ଚାରେ ସ୍କୁଲ୍‌ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯିବ। ବୟସ ଅନୁଯାୟୀ ୩-୮, ୮-୧୧, ୧୧-୧୪ ଏବଂ ୧୪-୧୮ ଏମିତି ଚାରି ଭାଗରେ ପିଲାଙ୍କୁ ଶିକ୍ଷା ଦିଆଯିବ। ୩ରୁ ୮ ମୌଳିକ ପର୍ଯ୍ୟାୟ, ୮ରୁ ୧୧ ପ୍ରାଥମିକ ଶିକ୍ଷା, ୧୧ରୁ ୧୪ ପ୍ରସ୍ତୁତି ପର୍ଯ୍ୟାୟ ଏବଂ ୧୪ରୁ ୧୮ ମାଧ୍ୟମିକ ପର୍ଯ୍ୟାୟ। ଏହି ହିସାବରେ ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯିବ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ଗୁରୁତ୍ବ ‌େଦଇ ୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏନ୍‌ସିଇଆର୍‌ଟି ସ୍ବତନ୍ତ୍ର ଭାବେ ପାଠ୍ୟକ୍ରମ ପ୍ରସ୍ତୁତ କରିବ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିଭାଗ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟପାର ମନ୍ତ୍ରଣାଳୟ ମିଳିତ ଭାବେ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିବେ। ଏଥି ପାଇଁ ଅଙ୍ଗନବାଡ଼ି ଓ ପ୍ରି-ସ୍କୁଲ୍‌ଗୁଡ଼ିକୁ ଦୃଢ଼ ଓ ସମ୍ପ୍ରସାରଣ କରାଯିବ। ଅଙ୍ଗନବାଡ଼ି କର୍ମୀ ଓ ସେଠାକାର ଶିକ୍ଷକମାନଙ୍କୁ ସେହି ହିସାବରେ ତାଲିମ ଦିଆଯିବ। ଏହା ମାଧ୍ୟମରେ ଦୁଇ କୋଟି ପିଲାଙ୍କୁ ମୁଖ୍ୟ ଧାରାକୁ ଅଣାଯାଇପାରିବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି।

ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ସବୁ ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷାଦାନ ନିମନ୍ତେ ରାଜ୍ୟଗୁଡ଼ିକ ୨୦୨୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରିବେ। ଏହାକୁ ତଦାରଖ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏକ ଜାତୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମିସନ୍ ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତାବ ରହିଛି। ପିଲାଙ୍କ ସର୍ବାଙ୍ଗୀନ ଉନ୍ନତିକୁ ମୁଖ୍ୟ ଲକ୍ଷ୍ୟରେ ରଖି ସ୍କୁଲ୍‌ ପାଠ୍ୟକ୍ରମ ପ୍ରସ୍ତୁତ ଉପରେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ବ ଦିଆଯାଇଛି। ଏକବିଂଶ ଶତାବ୍ଦୀରେ ଦକ୍ଷତା, ମୌଳିକ ଶିକ୍ଷା ଓ ଅଭିଜ୍ଞତା ସମ୍ପନ୍ନ ଶିକ୍ଷାକୁ ଏଥିରେ ଗୁରୁତ୍ବ ଦିଆଯିବ। ବିଷୟ ଚୟନ ପାଇଁ ପିଲାଙ୍କୁ ଯଥେଷ୍ଟ ସୁଯୋଗ ଦିଆଯିବ। କଳା ଓ ବିଜ୍ଞାନ ଭିତରେ ବିଶେଷ କିଛି ତଫାତ ରହିବ ନାହିଁ। ଷ‌ଷ୍ଠ ‌ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଯିବ। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ମଧ୍ୟ ରହିବ। ଏନ୍‌ସିଇଆର୍‌ଟି ଦ୍ବାରା ‘ନ୍ୟା‌ସ୍‌ନାଲ୍‌ କରିକୁଲାର୍‌ ଫ୍ରେମ୍‌ୱର୍କ ଫର୍ ସ୍କୁଲ୍‌ ଏଜୁକେସନ୍‌’ ପ୍ରସ୍ତୁତ କରାଯିବ।

The Indian Express

ମାତୃଭାଷା ବା ଆଞ୍ଚଳିକ ଭାଷାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବାକୁ ନୂଆ ଶିକ୍ଷାନୀତିରେ ଗୁରୁତ୍ବାରୋପ କରାଯାଇଛି। ସ୍କୁଲ୍‌ ଶିକ୍ଷାର ସବୁ ସ୍ତରରେ ସଂସ୍କୃତ ଭାଷାରେ ପଢ଼ିବା ପାଇଁ ଏକ ବିକଳ୍ପ ଛାତ୍ରଛାତ୍ରୀଙ୍କ ନିକଟରେ ରହିବ। ଭାରତର ଅନ୍ୟ ଶାସ୍ତ୍ରୀୟ ଭାଷା ଓ ସାହିତ୍ୟ ମଧ୍ୟ ଇଚ୍ଛାଧୀନ ବିଷୟ ଭାବେ ଉପଲବ୍ଧ ହେବ। କୌଣସି ଛାତ୍ରଛାତ୍ରୀଙ୍କ ଉପରେ ନିର୍ଦ୍ଦିଷ୍ଟ ଭାଷାକୁ ଜବରଦସ୍ତି ଲଦି ଦିଆଯିବ ନାହିଁ। ସବୁ ଛାତ୍ରଛାତ୍ରୀ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ସ୍କୁଲ୍‌ ପରୀକ୍ଷା ଦେବେ। ଦଶମ ଓ ଦ୍ବାଦଶ ଶ୍ରେଣୀରେ ପୂର୍ବ ପରି ବୋର୍ଡ ପରୀକ୍ଷା ରହିବ। ପରୀକ୍ଷାର ଏକ ନିର୍ଦ୍ଦିଷ୍ଟ ମାନ ପ୍ରସ୍ତୁତ କରିବାକୁ ଜାତୀୟ ମୂଲ୍ୟାୟନ କେନ୍ଦ୍ର ‘ପାରଖ’ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା କରାଯାଇଛି।

ଭାରତର ଯେ କୌଣସି ଅଞ୍ଚଳର ପିଲା ଯେପରି କୌଣସି କାରଣରୁ ବି ଶିକ୍ଷାରୁ ବଞ୍ଚିତ ନ ହୁଏ, ସେଥି ପ୍ରତି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ବାରୋପ କରାଯାଇଛି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ପିଲାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯିବ। ଏହାକୁ ନଜରରେ ରଖି ‘ଜେଣ୍ଡର୍‌ ଇନ୍‌କ୍ଲୁଜନ୍ ଫଣ୍ଡ୍‌’ ଏବଂ ‘ସ୍ପେସାଲ୍‌ ଏଜୁକେସନ୍ ଜୋନ୍‌’ ପ୍ରତିଷ୍ଠା କରାଯିବ। ସେହିପରି ଭିନ୍ନକ୍ଷମ ପିଲା ଯେପରି ନିୟମିତ ସ୍କୁଲ୍‌ ଶିକ୍ଷାରେ ବିନା ବାଧାରେ ଶିକ୍ଷା ଗ୍ରହଣ କରିପାରିବ, ତାହାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସବୁ ଜିଲ୍ଲାରେ ‘ବାଲ ଭବନ’ ନାମରେ ଡେ ବୋର୍ଡିଂ ସ୍କୁଲ୍‌ ସ୍ଥାପନ ଉପରେ ଶିକ୍ଷା ନୀତିରେ କୁହାଯାଇଛି। ଶିକ୍ଷକମାନଙ୍କୁ ସ୍ବଚ୍ଛ ପଦ୍ଧତ୍ତିରେ ଚୟନ କରାଯିବ। ଯୋଗ୍ୟତା ଆଧାରରେ ସେମାନଙ୍କୁ ପଦୋନ୍ନତି ମିଳିବ। ୨୦୨୨ ସୁଦ୍ଧା ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ଟିଚର୍‌ ଏଜୁକେସନ୍’ ଦ୍ବାରା ‘ନ୍ୟାସ୍‌ନାଲ୍‌ ପ୍ରଫେସ୍‌ନାଲ୍‌ ଷ୍ଟାଣ୍ଡାର୍ଡସ୍‌ ଫର୍‌ ଟିଚର୍ସ’ ପ୍ରସ୍ତୁତ କରାଯିବ। ସାରା ଦେଶରେ ଏହାକୁ ଲାଗୁ କରାଯିବ। ଜାତୀୟ ଶିକ୍ଷା ନୀତି‌-୨୦୨୦ରେ ସ୍କୁଲ୍‌ ଶିକ୍ଷା ପାଇଁ ନୀତି ପ୍ରସ୍ତୁତି, ନିୟନ୍ତ୍ରଣ, ପରିଚାଳନା, ଶିକ୍ଷାଗତ ବ୍ୟାପାର ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇଛି। ଏଥି ପାଇଁ ରାଜ୍ୟଗୁଡ଼ିକ ‘ଷ୍ଟେଟ୍‌ ସ୍କୁଲ୍‌ ଷ୍ଟାଣ୍ଡାର୍ଡ ଅଥରିଟି’(ଏସ୍‌ଏସ୍‌ଏସ୍‌ଏ) ପ୍ରତିଷ୍ଠା କରିବେ। ଏହି ସଂସ୍ଥା ହିଁ ରାଜ୍ୟରେ ସମସ୍ତ ପ୍ରକାର ସ୍କୁଲ୍‌ ବ୍ୟବସ୍ଥାକୁ ପରିଚାଳନା କରିବ।

ସମ୍ବନ୍ଧିତ ଖବର

Comments are closed.