ଏବର୍ଷ ୧୧ ନୂଆ ଆଇଟିଆଇରେ ନାମଲେଖା, ଜୁଲାଇ ୧୨ ଯାଏ ଅନ୍‌ଲାଇନ୍‌ରେ ଆବେଦନ

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ବେସରକାରୀ ଆଇଟିଆଇଗୁଡ଼ିକରେ ସାମ୍‌ସ ମାଧ୍ୟମରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ପଦ୍ଧତିରେ ନାମଲେଖା ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୧୨ସୁଦ୍ଧା ସାମ୍‌ସ ପୋର୍ଟାଲ www.samsodisha ଓ www.dtetodisha.gov,in ରେ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ୧୪ବର୍ଷ ହୋଇଥିବା ଆବଶ୍ୟକ। ସର୍ବାଧିକ ବୟସ ସୀମା କିଛି ନାହିଁ। ବିଭିନ୍ନ ଇଞ୍ଜିନିୟରିଂ ଓ ଅଣ ଇଞ୍ଜିନିୟରିଂ ଟ୍ରେନ୍‌ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା(୧୦ମ ଶ୍ରେଣୀ ପାସ/ଅଷ୍ଟମ ଶ୍ରେଣୀ ପାସ୍‌) ସମ୍ବନ୍ଧୀୟ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି।

ଆବେଦନକାରୀ ସାମ୍‌ସ ଅନ୍‌ଲାଇନ୍‌ ନାମଲେଖା ପ୍ରଣାଳୀରେ ମାଟ୍ରିକ୍‌ ମାର୍କ ଓ ଜାତିଗତ ପ୍ରମାଣପତ୍ର ଅଟୋ ଭାଲିଡେସନ୍‌ର ସୁବିଧା ନେଇପାରିବେ। ଅଟୋ ଭାଲିଡେସନ୍‌ କରିପାରୁ ନ ଥିବା ଆବେଦନକାରୀ ନିକଟସ୍ଥ ଯେକୌଣସି ନୋଡାଲ ସେଣ୍ଟରରେ(ସରକାରୀ ଆଇଟିଆଇ) ନିଜର ପ୍ରମାଣପତ୍ର ଯାଞ୍ଚ କରିପାରିବେ। ଏବର୍ଷ ନୂଆଦିଲ୍ଲୀସ୍ଥିତ ଏନ୍‌ସିଭିଇଟି ଦ୍ବାରା ୧୧ଟି ନୂତନ ସରକାରୀ ଆଇଟିଆଇ ସହବନ୍ଧିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର କୋଇଡାରେ ନୂତନ ଆଇଟିଆଇ ଓଏମ୍‌ସି ସହାୟତାରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଅଧିକ ଜାଣିବା ଲାଗି ଆଗ୍ରହୀ ଛାତ୍ରଛାତ୍ରୀ ନିକଟସ୍ଥ ସରକାରୀ ଆଇଟିଆଇରେ ଯୋଗାଯୋଗ କରିପାରିବେ ବୋଲି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର