ବିନା ପ୍ରବେଶିକା ପରୀକ୍ଷାରେ ଏମ୍‌ବିଏ, ପିଜିଡିଏମ୍‌ରେ ନାମଲେଖା

କରୋନା ପାଇଁ ନିଷ୍ପତ୍ତି ବଦଳାଇଲା ଏଆଇସିଟିଇ
ପୂର୍ବଭଳି ପ୍ରବେଶିକା ପରୀକ୍ଷା କରିବ ଓଜେଇଇ
ଏଆଇସିଟିଇ ନିଷ୍ପତ୍ତିକୁ ‘ଓମକା’ର ସ୍ୱାଗତ

ଭୁବନେଶ୍ୱର : ଏମବିଏ ଓ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ମ୍ୟାନେଜମେଣ୍ଟ (ପିଜିଡିଏମ) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା(ଏଣ୍ଟ୍ରାନ୍ସ)ର ଆବଶ୍ୟକତା ନାହିଁ। ୟୁଜି(ଅଣ୍ଡର ଗ୍ରାଜୁଏଟ) ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଆଧାର କରି ଶିକ୍ଷାନୁଷ୍ଠାନରେ ନାମଲେଖା ହେବ। କୋଭିଡ୍‌-୧୯ ଯୋଗୁଁ ଅଧିକାଂଶ ପ୍ରବେଶିକା ପରୀକ୍ଷା ହୋଇପାରି ନ ଥିବାରୁ ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ଏଭଳି ନିଷ୍ପତ୍ତି ନେଇଛି।

ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କରୋନାକୁ ଆଖିରେ ରଖି କେବଳ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ନାମଲେଖାରେ ଏଭଳି କୋହଳ କରାଯାଇଛି। ଆଗାମୀ ବର୍ଷଗୁଡ଼ିକରେ ଏହି କୋହଳ ରହିବ ନାହିଁ। ଏମବିଏ ଓ ପିଜିଡିଏମ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା କ୍ୟାଟ, ଜ୍ୟାଟ, ସିମ୍ୟାଟ, ଏଟିଏମଏ, ମ୍ୟାଟ, ଜିମ୍ୟାଟ ସହ ରାଜ୍ୟଗୁଡ଼ିକ ନିଜ ନିଜର ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରିଥାନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଏହି ପ୍ରବେଶିକା ପରୀକ୍ଷା କରିନାହାନ୍ତି। ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ତେଣୁ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସୁବିଧାକୁ ନଜରରେ ରଖି ଏଭଳି ବିକଳ୍ପ ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ ନାମଲେଖା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱଚ୍ଛତା ଗ୍ରହଣ କରିବେ। ଯଦି କୌଣସି ଛାତ୍ରଛାତ୍ରୀ ଉପରୋକ୍ତ ପ୍ରବେଶିକା ପରୀକ୍ଷା ମଧ୍ୟରୁ କେଉଁଟା ବି ଦେଇଥିବେ ତାଙ୍କୁ ପ୍ରାଥମିକତା ଦେବା ସହ ସେମାନଙ୍କର ୟୁଜି ନମ୍ବରକୁ ବି ବିଚାରକୁ ନେବେ। ନାମଲେଖା ପରେ ଯଦି ସିଟ୍‌ ଖାଲି ରହିବ ତେବେ ରାଜ୍ୟ ସରକାର କାଉନସେଲିଂ ସମୟରେ ଉକ୍ତ ସିଟ୍‌କୁ ବ୍ୟବହାର କରି ଛାତ୍ରଛାତ୍ରୀଙ୍କ ନାମଲେଖାଇ ପାରିବେ ବୋଲି ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର କହିଛନ୍ତି।

ଅନ୍ୟପକ୍ଷରେ ଏମବିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପୂର୍ବଭଳି ଅନୁଷ୍ଠିତ ହେବ। କୌଣସି ପରିବର୍ତ୍ତନ କରାଯିବ ନାହିଁ। ଯେଉଁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି ସେମାନେ ପରୀକ୍ଷା ଦେଇ ଓଜେଇଇ ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖାର ସୁଯୋଗ ପାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।

ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନ(ଓମକା)ର କାର୍ଯ୍ୟକାରୀ ସଭାପତି ଇଂ. ସରୋଜ କୁମାର ସାହୁ କହିଛନ୍ତି ଯେ ଏଆଇସିଟିଇର ଏଭଳି ସମୟ ଉପଯୋଗୀ ପଦକ୍ଷେପ ସ୍ୱାଗତଯୋଗ୍ୟ। ବର୍ତ୍ତମାନ ସୁଦ୍ଧା ଗ୍ରାଜୁଏସନ ପରୀକ୍ଷା ସରି ନ ଥିଲେ ବି ଓଜେଇଇର ଫର୍ମ ପୂରଣ ତାରିଖ ସରିଯାଇଛି। ତେଣୁ ଏବେ ଏଭଳି ଛାତ୍ରଛାତ୍ରୀ ରହିଛନ୍ତି ଯେଉଁମାନେ କି ଏହାର ସୁଯୋଗ ନେଇ ପାଠପଢିପାରିବେ।

ସମ୍ବନ୍ଧିତ ଖବର