ସୁନ୍ଦରଗଡ଼ : ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ)ରେ ୨୦୨୨-୨୩ ଶିକ୍ଷାବର୍ଷରେ ଏମବିବିଏସ ପାଠ୍ୟକ୍ରମ ପାଇଁ ଶହେ ଆସନରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ କେନ୍ଦ୍ରୀୟ ବା ସର୍ବଭାରତୀୟ କୋଟାରେ ୧୫ରୁ ୧୧ ଜଣ ଏଠାରେ ନାମ ଲେଖାଇସାରିଥିବା ମହାବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସେହିପରି ରାଜ୍ୟ କୋଟା ୮୫ରୁ ଭୁବନେଶ୍ବରସ୍ଥିତ ଓଜେଇଇ ସେଲରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ନାମ ଲେଖାଇଥିବା ସୂଚନା ମିଳିଛି।
ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ ରାଜନୈତିକ ଚକ୍ରବ୍ୟୁହ ଭିତରେ ହଜିଯିବା ପରେ ରାଜ୍ୟ ସରକାର ନିଜେ ଏଠାରେ ସରକାରୀ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୨୦୨୨ ଏପ୍ରିଲ ୨୬ ତାରିଖରେ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପାଇଁ ନିର୍ମିତ ଆଧୁନିକ ଭିତ୍ତିଭୂମିକୁ ଏନଟିପିସି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପରେ ଡିନ୍ ଓ ଅତିରିକ୍ତ ଅଧିକ୍ଷକଙ୍କ ସମେତ ପ୍ରାଧ୍ୟାୟପକ, ଅଧ୍ୟାପକ ନିଯୁକ୍ତି କରି ମହାବିଦ୍ୟାଳୟ ଖୋଲିବା ପ୍ରକ୍ରିୟା ଆରମ୍ଭ କରାଗଲା। ତେବେ ପ୍ରଥମେ ଏହି ମହାବିଦ୍ୟାଳୟ ପାଇଁ ଆବଶ୍ୟକ ଭିତ୍ତିଭୂମି, ଅଧ୍ୟାପକ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ନଥିବା ଦର୍ଶାଇ ଚଳିତ ଶିକ୍ଷାବର୍ଷ ପାଇଁ ଅନୁମତି ପତ୍ର ବା ଏଲଓଆଇ ଦେବାକୁ ମନା କରି ଦେଇଥିବା ଜାତୀୟ ମେଡିକାଲ କମିସନ୍ (ଏନଏମସି) ପୁନଃ ଆବେଦନ ପରେ ଜୁଲାଇ ୨୯ରେ ଅନୁମତି ଦେଇଥିଲେ। ଏହା ପରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଅକ୍ଟୋବର ୨୮ରେ ପ୍ରଥମ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇଥିଲା।
ଅକ୍ଟୋବର ୩୦ରୁ ନଭେମ୍ବର ୪ ମଧ୍ୟରେ ଓଜେଇଇ ସେଲରେ ପ୍ରୋଭିଜନାଲ ନାମଲେଖା, ଶୁଳ୍କ ଦାଖଲ ହୋଇଥିବା ବେଳେ ନଭେମ୍ବର ୬ରେ ଖାଲି ସିଟ୍ ତାଲିକା ପ୍ରକାଶ ସହ ୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ, ୧୨ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୨ରୁ ୧୪ ମଧ୍ୟରେ ପଞ୍ଜିକୃତ ନୂଆ ପିଲା ଚଏସ୍ ଫିଲିଂ ଓ ଲକିଂ କରିଥିଲେ। ୧୬ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ଆଲଟମେଣ୍ଟ ପ୍ରକାଶ ଓ ୧୯ରୁ ୨୧ ଯାଏ ନାମଲେଖା ହୋଇଥିଲା। ଡିସେମ୍ବର ୬ରେ ସ୍ପଟ୍ ରାଉଣ୍ଡ କାଉନସେଲିଂ କରାଯିବ ବୋଲି ଓଜେଇଇରେ ପକ୍ଷରୁ ପ୍ରକାଶ କରାଯାଇଛି। ସ୍ବାସ୍ଥ୍ୟସେବାରେ ସବା ପଛୁଆ ସୁନ୍ଦରଗଡ଼ ଜିଲ୍ଲାର ଏହି ଭେଷଜ ମହାବିଦ୍ୟାଳୟରେ ପ୍ରଥମ କରି ଏମବିବିଏସ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sundargarh-v.jpg)